!!! ବାଙ୍କୀ – ବଡମ୍ବା ମଧ୍ୟରେ ସମ୍ପର୍କର ନୂଆ ସେତୁ !!!
କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବାଙ୍କୀ ବଡମ୍ବା ସମ୍ପର୍କ ବହୁ ପୁରୁଣା . ରାଜତନ୍ତ୍ର ଅମଳରୁ ମଧ୍ୟ ବାଙ୍କୀ ଗଡ ଓ ବଡମ୍ବା ଗଡ ମଧ୍ୟରେ ଯୋଡି ହୋଇଥିଲା ସମ୍ପର୍କର ଖିଅ . କଟକ ଜିଲ୍ଲାର ଏହି ସ୍ଥାନ ଦୁଇଟି ପୌରାଣିକ ମହତ୍ତ୍ୱ ଦୃଷ୍ଟିରୁ ମଧ୍ୟ ପରସ୍ପର ସହ ଜଡିତ . ମହାନଦୀର ଅପର ପାର୍ଶ୍ଵରେ ମା ଭଟ୍ଟାରିକା ଏବଂ ଏ ପାର୍ଶ୍ଵରେ ମା ଚର୍ଚ୍ଚିକା ବିରାଜମାନ . ପର୍ଯ୍ୟଟନ ମାନଚିତ୍ରରେ ସ୍ୱର୍ଣ୍ଣ ତ୍ରିଭୂଜ ନାମରେ ବିଦିତ ତିନି ଶୈବ ପୀଠ ମଧ୍ୟରୁ ବାବା ସିଂହନାଥଙ୍କ ପୀଠ ମହାନଦୀ ମଧ୍ୟ ଭାଗରେ ଅବସ୍ଥିତ . ନଦୀର ଉଭୟ ପାଖରେ ଥିବା ଅଞ୍ଚଳ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଜଳପଥ ହିଁ ଥିଲା ସମ୍ପର୍କ ସ୍ଥାପନର ମାଧ୍ୟମ , ତେବେ ମହାନଦୀ ଉପରେ ନୂଆ ସେତୁ ନିର୍ମାଣ ପରେ ଏହି ସମ୍ପର୍କ ଆହୁରି ମଧୁର ଏବଂ ସୁଦୃଢ ହୋଇ ପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ . ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସେତୁ ଲୋକାର୍ପିତ ହେବା ପରେ ଏ ଦିଗରେ ଏକ ନୂଆ ପ୍ରୟାସ ଆରମ୍ଭ କରିଛି – ବାଙ୍କୀ ବୁଦ୍ଧିଜୀବୀ ପରିଷଦ .

କଳାପଥର ବୈଦେଶ୍ଵର ବାଙ୍କୀ ଅଞ୍ଚଳରୁ ଏକ ପ୍ରତିନିଧି ଦଳ ସେତୁ ପାର ହୋଇ ଯାଇ ପହଞ୍ଚିଥିଲେ ବଡମ୍ବା ଗୋପୀନାଥପୁରରେ . ଉଦ୍ଦେଶ୍ୟ ଉଭୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ସ୍ଥାୟୀ ସମ୍ପର୍କ ସ୍ଥାପନ . ପାରସ୍ପରିକ ସହମତିରେ ଅଞ୍ଚଳର ଉନ୍ନତି ସହିତ ସମସ୍ତ ସମସ୍ୟାର ସମାଧାନ ପାଇଁ ଏକ ମିଳିତ ମଞ୍ଚ ଗଠନ . ସେମାନଙ୍କର ପ୍ରସ୍ତାବକୁ ସାଦରେ ଗ୍ରହଣ ସହିତ ଅତ୍ୟନ୍ତ ଆତ୍ମୀୟତା ଓ ଅଭୂତପୂର୍ବ ଆତିଥେୟତା ଦେଖାଇଥିଲେ ବଡମ୍ବା ଅଞ୍ଚଳବାସୀ . ଶ୍ରୀ ଜଗନ୍ନାଥ ମନ୍ଦିର ମଧ୍ୟରେ ହୋଇଥିଲା ଭାଇଚାରାର ବୈଠକ .

ଆଗାମୀ ଦିନରେ ସମ୍ପର୍କକୁ ଅଧିକ ମଜବୁତ କରିବା ସହିତ ମିଳିତ ମଞ୍ଚ ଗଠନ ପାଇଁ ସୁନ୍ଦର ପ୍ରସ୍ତାବ ଆଗତ ହୋଇଥିଲା . ମହାନଦୀର ଉଭୟ ପାର୍ଶ୍ଵର ଅଧିକ ଗ୍ରାମର ପ୍ରତିନିଧିଙ୍କୁ ସାମିଲ ସହିତ ଉଭୟ ନିର୍ବାଚନ ମଣ୍ଡଳୀର ବିଧାୟକ ଏବଂ ରାଜ ପରିବାରର ସଦସ୍ୟଙ୍କୁ ଆସନ୍ତା ବୈଠକ କୁ ଡାକିବା ପାଇଁ ସ୍ଥିର ହୋଇଛି . ନବ ନିର୍ମିତ ସେତୁ ପାର୍ଶ୍ଵରେ ପାର୍କିଙ୍ଗ ବ୍ୟବସ୍ଥା , ସେତୁ ଉପର ଆଲୋକୀକରଣ , ସିଂହନାଥ ପୀଠରେ ରୋପ ୱେ ନିର୍ମାଣ ସର୍ବୋପରି ତ୍ରିକୂଟ ଧାମ ର ଉନ୍ନତି ପାଇଁ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଛି . ମହାନଦୀ ଉପରେ ସମ୍ପର୍କର ସେତୁ ଗଢି ଉଠିବା ପରେ ସୁଦୃଢ ହୋଇଛି ବନ୍ଧୁତ୍ୱ ଓ ଭାଇଚାରା .

