ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଙ୍କୀ ର ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତକୁ କାବୁ କରିଛି ପୁଲିସ . ହତ୍ୟାକାଣ୍ଡରେ ସମ୍ପୃକ୍ତ ତଥା ୧୧ ମାସ ଧରି ଫେରାର ଥିବା ରଣିଆ ପ୍ରଧାନ କୁ କଟକ ଜିଲ୍ଲା ବଡମ୍ବା ଥାନା ଅଞ୍ଚଳରୁ ପୁଲିସ ଉଠାଇଥିବାର ସୂଚନା ମିଳିଛି . ବାଙ୍କୀ ଥାନା ଅନ୍ତର୍ଗତ ଜୋକଲାଞ୍ଜୀ ଡ୍ୟାମ ପାଖରେ 2020 ମସିହା ଫେବୃଆରୀ 15 ତାରିଖରେ ଘଟିଥିବା ଏହି ବୀଭତ୍ସ ହତ୍ୟାକାଣ୍ଡରେ କୋଡିଏ ରୁ ଅଧିକ ଅପରାଧୀ ସମ୍ପୃକ୍ତ ଥିବା ସମୟରେ ଆଗରୁ ବାର ଜଣଙ୍କୁ ଗିରଫ କରାଯାଇଛି . ତେବେ ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ପ୍ରଧାନ ସମେତ ଆହୁରି ପାଞ୍ଚରୁ ଅଧିକ ଅଭିଯୁକ୍ତ ଫେରାର ଅଛନ୍ତି .
ବାଙ୍କୀ ନିର୍ବାଚନ ମଣ୍ଡଳୀ ଖଜୁରୀପଦା ନୂଆଗାଁ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଏବଂ ସାମ୍ବାଦିକ ଆଦିତ୍ୟ ରଣସିଂହ ଙ୍କ ହତ୍ୟା ଘଟଣାରେ ବାଙ୍କୀ ପୁଲିସ ତଦନ୍ତ କରି ଚାର୍ଜସିଟ କରିସାରିଛି . ତେବେ ରାଜନୈତିକ ଶତୃତା କୁ ନେଇ ଘଟିଥିବା ଏହି ସଂଘବଦ୍ଧ ଆକ୍ରମଣ ଓ ହତ୍ୟା ଘଟଣାରେ ମାତ୍ରାଧିକ ରାଜନୈତିକ ଚାପ କାରଣରୁ ଏବେ ସୁଦ୍ଧା ମୁଖ୍ୟ ଆସାମୀ ଗିରଫ ହୋଇ ପାରିନାହିଁ . ଆକ୍ରମଣରେ ନିହତ ହୋଇଥିବା ସାମାଜିକ କର୍ମୀ ଭଗବାନ ସ୍ୱାଇଁ ତାଙ୍କ ଶେଷ ବୟାନରେ କହିଥିବା ପ୍ରଥମ ନାଁ ପାଣ୍ଡବ ପ୍ରଧାନ ଗିରଫ ନହେବା ଏବଂ ଶେଷ ନାଁ ସୁଧାଂଶୁ ଦାଶ ନାମରେ ମାମଲା ରୁଜୁ ନହେବା ଘଟଣାକୁ ନେଇ ଏବେ ସୁଦ୍ଧା ଖଜୁରୀପଦା ଗାଁ ରେ ଅସନ୍ତୋଷର ନିଆଁ କୁହୁଳିଛି . ଶାସକ ଦଳର ନେତା କର୍ମୀ ଏବଂ ସମର୍ଥକ ମାନେ ହତ୍ୟା ଘଟଣାରେ ସିଧା ସମ୍ପୃକ୍ତ ଥିବାରୁ ତଦନ୍ତକାରୀ ସଂସ୍ଥା ଉପରେ ଚାପ ପକାଇ ତଦନ୍ତକୁ ଦିଗହରା କରିବା ପାଇଁ ଉଦ୍ୟମ କରାଯାଉଥିବା କଥା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ . ଅନ୍ୟ ପକ୍ଷରେ ଶାସକ ଦଳର କିଛି ଛାମୁଆ ନେତା ବାରମ୍ବାର ବାଙ୍କୀ ଉପ କାରାଗାରକୁ ଯାଇ ଅଭିଯୁକ୍ତଙ୍କୁ ଦେଖା ହେବା ଏବଂ ଉଚ୍ଚ ନ୍ୟାୟାଳୟକୁ ଜାମିନ କାମରେ ଯିବା ନେଇ ସ୍ପଷ୍ଟ ଆଲୋଚନା ହେଉଛି . ଏପରି ସ୍ଥିତିରେ ଘଟଣାର ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ପ୍ରଧାନକୁ ଗିରଫ ନ କରି ନିଜ ପାଇଁ ନିଜେ ସନ୍ଦେହ ର ପ୍ରଶ୍ନବାଚୀ ତିଆରି କରିଛି ବାଙ୍କୀ ପୁଲିସ .
ହତ୍ୟାକାଣ୍ଡ ଘଟଣାର ପ୍ରଥମ ଦିନରୁ ହିଁ ରାଜନୈତିକ ଚାପ ପକାଯାଇଥିବାର ଅଭିଯୋଗ ଆଣିଥିଲେ ନୂଆଗାଁ ସରପଞ୍ଚ ତଥା ମୃତକ ଭଗବାନ ସ୍ୱାଇଁ ଙ୍କ ସ୍ତ୍ରୀ ମମତା ମହାପାତ୍ର . ଏପରିକି ହତ୍ୟାକାଣ୍ଡ ଘଟଣାରେ ବାଙ୍କୀର ବିଧାୟକ ଏବଂ ପୂର୍ବତନ ବିଧାୟକ ଜଡିତ ବୋଲି ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଥିଲେ . ହେଲେ ତଦନ୍ତକାରୀ ସଂସ୍ଥା ବାଙ୍କୀ ର କୌଣସି ରାଜନୈତିକ ବଡପଣ୍ଡା ଙ୍କୁ ତଦନ୍ତ ପରିସରକୁ ଆଣିନାହିଁ . ଏପରିକି ଅଭିଯୁକ୍ତଙ୍କ ସଙ୍ଗେ ସମ୍ପର୍କରେ ଥିବା କୌଣସି ବ୍ୟକ୍ତିଙ୍କର ଫୋନ କଲ ସୁଦ୍ଧା ଯାଞ୍ଚ କରାଯାଇନାହିଁ . ତେବେ ତଦନ୍ତରେ ନିରପେକ୍ଷତା ଆଣିବା ପାଇଁ କେଶ ର ତଦନ୍ତ ଦାୟିତ୍ୱ ବାଙ୍କୀ ଥାନା ଆଇଆଇସି ଙ୍କ ଠାରୁ ନିଆଯାଇ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା . କିନ୍ତୁ ଏ ମଧ୍ୟରେ ତଦନ୍ତକାରୀ ଅଧିକାରୀ ବାଙ୍କୀ ରୁ ଅନ୍ୟତ୍ର ବଦଳି ହୋଇ ସାରିଲେଣି . ଏପରିକି ଅଧିକାଂଶ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବୈଦେଶ୍ଵର ଥାନା ଅଧିକାରୀ ମଧ୍ୟ ବଦଳି ହୋଇ ଗଲେଣି . ଆଉ ଏକ ଘଟଣା କ୍ରମରେ ବାଙ୍କୀ ଥାନା ଆଇଆଇସି ମଧ୍ୟ ରାଜନୈତିକ ଆକ୍ରୋଶର ଶୀକାର ହୋଇ ବାଙ୍କୀ ରୁ ବିଦା ହେଲେଣି . ଏପରି ସ୍ଥିତିରେ ଗିରଫ ହୋଇନଥିବା ଅପରାଧୀ କିପରି ଗିରଫ ହେବେ ସେ ଚିନ୍ତା କାହାରି ନାହିଁ , ବରଂ ହତ୍ୟାକାଣ୍ଡ ଘଟଣା ପରେ ଗାଁ ରୁ ଲୁଚି ଫେରାର ହୋଇଥିବା ଲୋକେ କିପରି ଆସି ଗାଁ ରେ ରହିବେ ସେ ଚିନ୍ତାରେ ନେତା ଅଧିକାରୀ ପୁରା ମାତ୍ରାରେ ଲାଗିଛନ୍ତି .
ଅନ୍ୟ ପକ୍ଷରେ ଏପରି ବର୍ବର ଘଟଣା ପରେ ସଂପୂର୍ଣ୍ଣ ଗ୍ରାମ ଏକଜୁଟ ହୋଇ ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ବିଧାନ ପାଇଁ ଚେଷ୍ଟା ଜାରି ରଖିଛନ୍ତି . ମୃତକଙ୍କ ପରିବାର ଲୋକେ , ଅନ୍ୟ ଗ୍ରାମବାସୀ ମାନେ ଦିନରାତି ଏକ କରି ଫେରାର ଅଭିଯୁକ୍ତଙ୍କର ଖୋଜ ଖବର ନେଉଛନ୍ତି . ତେବେ ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା ହେଲା କାହାରି କିଛି ସନ୍ଧାନ ମିଳିବା ପରେ , ଗିରଫଦାରୀ ପାଇଁ ଟାଳଟୁଳ ନୀତି ଧରୁଛି ପୁଲିସ . ଏପରି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ . ବାଙ୍କୀ ର ବାହୁବଳୀ ନେତାଙ୍କ ଚାପରେ ସ୍ଥାନୀୟ ପୁଲିସ ଏପରି ନାକଗଡା ଫର୍ମୁଲା ଆପଣେଇ ଥିବାର ବାରମ୍ବାର ଅଭିଯୋଗ ଆସୁଥିଲେ ବି, ବିଭାଗୀୟ ଅଧିକାରୀ ଘଟଣାକୁ ଆଖି ବୁଜି ଦେଇଛନ୍ତି . ସବୁଠାରୁ ସାଙ୍ଘାତିକ କଥା ହେଲା ଏପରି ଗୋଳମାଳିଆ ସ୍ଥିତିରେ ଆଗରୁ ବାଙ୍କୀ ଏବଂ ବୈଦେଶ୍ଵରରେ ଥିବା ଅଧିକାରୀ ମାନେ ପୁଣି ଥରେ ବାଙ୍କୀ ଆସି ଜଏନ କରିବା ପାଇଁ ମସୁଧା ଚଳାଇଛନ୍ତି . ଆଗରୁ ନିଜର ବିବାଦିତ କାମ ପାଇଁ ବୈଦେଶ୍ଵର ଏବଂ ବାଙ୍କୀ ରୁ ବିଦା ହୋଇଥିବା ଅଧିକାରୀ ପୁନର୍ବାର ବାଙ୍କୀ ଆସିଲେ ନିଶ୍ଚିତ ଭାବରେ ତଦନ୍ତ ପ୍ରକ୍ରିୟା କୁ ଦିଗହରା କରିବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ .
ଗୋଟିଏ ପଟେ ଗାନ୍ଧିଜୀଙ୍କ ଅହିଂସା ନୀତିକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବା ପାଇଁ ଦାବୀ କରୁଛନ୍ତି ରାଜ୍ୟ ସରକାର , ହେଲେ ଶାସକ ଦଳର ନେତା ଓ ସମର୍ଥକ ସ୍ପଷ୍ଟ ଦିବାଲୋକରେ ଘଟାଉଛନ୍ତି ଏପରି ଅମାନବୀୟ ଲୋମହର୍ଷଣକାରୀ ବର୍ବର ଘଟଣା . 2020 ମସିହା କ୍ୟାଲେଣ୍ଡର ରେ ବାଙ୍କୀର ରାଜନୈତିକ ପୃଷ୍ଠା ହୋଇଛି ରକ୍ତରଞ୍ଜିତ . ପଶ୍ଚିମ ବାଙ୍କୀ ର ଡବଲ ମର୍ଡର ଏବଂ ଉତ୍ତର ବାଙ୍କୀ ର ଘୋଳପୁର ହତ୍ୟା ଘଟଣା ନେଇ ସମଗ୍ର ବାଙ୍କୀ ରେ ଚର୍ଚ୍ଚା ଓ ଆଲୋଡନ . ଅପରାଧ ପୃଷ୍ଠଭୂମିର ନେତା ଓ ସେମାନଙ୍କ ସମର୍ଥକ ମାନଙ୍କ କଳା କାରନାମା ଯୋଗୁଁ ଶାନ୍ତ ସ୍ନିଗ୍ଧ ବାଙ୍କୀ ହୋଇ ପଡିଛି ଅଶାନ୍ତ . ରାଜ୍ୟର ରାଜଧାନୀ ଏବଂ ରାଜ୍ୟ ପୁଲିସ ମୁଖ୍ୟାଳୟ ଠାରୁ ସମାନ ଦୂରତାରେ ଥିବା ବାଙ୍କୀ ର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି କାହାରି ନଜର ନାହିଁ . ଏଣେ ଅପରାଧୀଙ୍କୁ ନୈତିକ, ଆର୍ଥିକ ଓ ଆଇନଗତ ସହଯୋଗ କରି ପୁଲିସ ପ୍ରଶାସନକୁ ହାତ ବାରିସି କରି ସତ୍ୟ ର କଣ୍ଠରୋଧ କରିବା ପାଇଁ କିଛି ରାଜନୈତିକ ଶକ୍ତି ଚେଷ୍ଟାରତ , ତେବେ ନ୍ୟାୟିକ ପ୍ରକ୍ରିୟାରେ ସତ୍ୟର ଜୟ ହେବ ଏବଂ ଅପରାଧୀ କଠୋର ଦଣ୍ଡ ପାଇବେ ବୋଲି ବାଙ୍କୀ ବାସୀ ଭରଷା ରଖିଛନ୍ତି .