ଠିକ ସମୟରେ ଟୋକନ୍ ନ ମିଳିବାରୁ ଚାଷୀ ହନ୍ତସନ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଓ ପାହାଡ଼ ପର୍ବତ ଘେରା ଅଞ୍ଚଳ ହୋଇଥିବା ବେଳେ ଏଠାକାର ଅଧିବାସୀଙ୍କ ଜୀବନ ଜୀବିକା କୃଷି ଉପରେ ନିର୍ଭର କରିଥାଏ । କିନ୍ତୁ ଚାଷୀ ନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇ ପାରୁନାହିଁ । ଯାହା ଫଳରେ ଚାଷୀ ଚାଷ ପ୍ରତି ବିମୁଖ ହୋଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ପଳାଇ ଯାଉଛନ୍ତି । ନିଜର ଥିବା ଚାଷ ଜମିକୁ ଭାଗ ଚାଷକୁ ଦେଇ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଚାଲି ଯାଉଛନ୍ତି । ଗଜପତି ଜିଲ୍ଲାରେ ମୁଖ୍ୟତଃ ଚାରୋଟି ବ୍ଳକରେ ଅଧିକା ଧାନ ଉତ୍ପାଦନ ହୋଇଥିଲେ ସୁଦ୍ଧା ଠିକ ସମୟରେ ଚାଷୀ ଧାନ ବିକ୍ରି କରିପାରୁ ନାହାନ୍ତି । ଯାହା ଫଳରେ ଚାଷୀଙ୍କ ମନରେ ଅସନ୍ତୋଷ ଦେଖା ଯାଉଛି । ଚଳିତ ବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ଓ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଧାନ ଅମଳ ହୋଇ ସାରିଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ 23.12. 2020 ଠାରୁ ପଞ୍ଜିକୃତ ଚାଷୀ ସେବା ସମବାୟ ସମିତି ଜରିଆରେ ଓ ବୃହତକାର କୃଷି ସମବାୟ ସମିତି ମାଧ୍ୟମରେ ଧାନ ବିକ୍ରି କରାଯିବା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । କିନ୍ତୁ ପଞ୍ଜିକୃତ ଚାଷୀ ମାନଙ୍କର ଟୋକନ୍ ଠିକ ସମୟରେ ପାଇ ପାରୁନଥିବାରୁ ଅନ୍ୟତ୍ର ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।ଯଦି ଚାଷୀଙ୍କୁ ଧାନ ଉତ୍ପାଦନର ଦଶ ପନ୍ଦର ଦିନ ଭିତରେ ଟୋକନ ପାଇ ପାରିଥାନ୍ତେ ତେବେ ଚାଷୀ ଉତ୍ପାଦିତ ଧାନର ସଠିକ ମୂଲ୍ୟ ପାଇ ପାରିଥାନ୍ତେ । ଚାଷୀ ସମବାୟ ସମିତି, ମିଲର, ଯୋଗାଣ ବିଭାଗ ନିୟନ୍ତ୍ରିତ ବଜାର କମିଟି ସମସ୍ତଙ୍କ ଠାରୁ ଚାଷୀ ଶୋଷଣର ଶୀକାର ହେଉଥିବାରୁ ଚାଷୀ ନିଜ ଉତ୍ପାଦିତ ଧାନର ଉଚିତ ମୂଲ୍ୟ ପାଇ ପାରୁ ନାହାନ୍ତି ଚାଷୀ ଯଦି ଜାନୁଆରୀ ଠାରୁ ମାର୍ଚ୍ଚମାସ ପର୍ଯ୍ୟନ୍ତ ଟୋକନ ପାଇବା ପାଇଁ ଯଦି ଅପେକ୍ଷା କରେ ତେବେ ନିଜ ଉତ୍ପାଦିତ ଧାନ ଚାଷୀ ବିକ୍ରି ନ କରିପାରି ଵିଲ, ଖଳାରେ ଶୀତ,ଖରା ନିଆଁ ପାଣିକୁ ଭୟ କରି ଧାନ ଜଗି ବସି ରହିବ। ବାଧ୍ୟ ହୋଇ କମ ଦରରେ ଅନ୍ୟତ୍ର ବିକ୍ରୀ କରିବା ପାଇଁ ସ୍ଥିର କରିଥାଏ । ମିଲର ସଫା, ଶୁଖିଲା, ସମରଙ୍ଗୀ, ସମ ଆକାର ଧାନ ଆଣିବା ପାଇଁ ଚାଷୀଙ୍କୁ କହିଥାଏ ଯଦି ଚାଷୀ ଉପଯୁକ୍ତ ଧାନ ଦେଇ ନ ପାରେ ଧାନ ରେଟ କମାଇ ଦିଅନ୍ତି ମିଲର । ଚାଷୀଙ୍କ ଧାନ କମ ଦରରେ କିଣି ସମବାୟ ସମିତିକୁ ହାତ କରି ଦଲାଲ ମାନେ, ପଞ୍ଜିକୃତ ହୋଇଥିବା ଚାଷୀ ନାମରେ ଧାନ ପକାଇ ସରକାରଙ୍କ ଠାରୁ ସରକାରୀ ଦରରେ ପ୍ରାପ୍ୟ ପାଇଥାନ୍ତି । ସମବାୟ ସମିତିକୁ ଯେଉଁ ପଞ୍ଜିକୃତ ଚାଷୀ ମାନେ ଧାନ ଦିଅନ୍ତି ନାହିଁ ସେହି ଚାଷୀନାମରେ ସମବାୟ ସମିତି ଏକ ତାଲିକା ପ୍ରସ୍ତୁତ କରି ବାହାରୁ କମ ଦରରେ କିଣି ଚାଷୀମାନଙ୍କ ନାଁ ରେ ଧାନ ବିକ୍ରି କରୁଥିବାର ଅଭିଯୋଗ ହେଉଛି । ଯେଉଁ ପଞ୍ଜିକୃତ ଚାଷୀଙ୍କ ଟୋକନ ଅଧିକା ଧାନ ଆସିବା କଥା ସେହି ଚାଷୀମାନଙ୍କୁ କମ ଧାନ ଆସିଥାଏ । ଯେଉଁ ପଞ୍ଜିକୃତ ଚାଷିଙ୍କୁ ଟୋକନରେ କମ ଧାନ ଆସିବା କଥା ତାକୁ ଅଧିକା ଧାନ ଦେବାକୁ ଆସିଥାଏ । ଏହି ଭଳି ଅବ୍ୟବସ୍ଥା ରେ ଚାଲିଛି ସମବାୟ ସମିତିର କାର୍ଯ୍ୟକଳାପ ବୋଲି ଜନସାଧାରଣରେ ଅଭିଯୋଗ ଆସୁଛି ।

Leave a Reply

Your email address will not be published. Required fields are marked *