ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥାନିୟ ଯୁକ୍ତ ୩ ମହିଳା ମହା ବିଦ୍ୟାଳୟ ପରିସରରେ ମହାତ୍ମାଗାନ୍ଧୀଙ୍କ ପବିତ୍ର ପୁଣ୍ୟତିଥିକୁ ସହୀଦ ଦିବସ ଭାବେ ଜାତୀୟ ସେବା ଯୋଜନା ତରଫରୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି । ଅଧ୍ୟକ୍ଷା ଡ଼.ରୀନା ସାହୁ ମୁଖ୍ୟ ଅତିଥି ଭାବେ ଏବଂ ବରିଷ୍ଠ ସାହିତ୍ୟିକ ତଥା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭା ର ଉଦଘାଟନ କରିଥିଲେ । ସଭାକାର୍ଯ୍ୟ ପୂର୍ବରୁ ଭାରତମାତାର ସହୀଦ ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା .
ସହୀଦ ଦିବସର ଯଥାର୍ଥତା ଓ ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସା ସଂପର୍କରେ ମୁଖ୍ୟବକ୍ତା ପ୍ରାଞ୍ଜଳ ଭାବେ ଉଦବୋଧନ ଦେଇଥିବା ବେଳେ ମହାତ୍ମାଗାନ୍ଧୀଙ୍କର ନାରୀ ଶିକ୍ଷା ତଥା ଓଡ଼ିଶା ଆଗମନ ସଂପର୍କରେ ଅଧ୍ୟକ୍ଷା ଡ଼.ରୀନା ସାହୁ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ସେହିଭଳି ଜାତୀୟ ସେବା ଯୋଜନା ଅଧିକାରୀ ଡ଼.ଭାରତୀ ପାଣିଗ୍ରାହୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟ ରେ ରାମଧୂନ ଗାନ କରାଯାଇ ସଭା ଶେଷ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ କୁମାର ପାତ୍ର, ଏଲ.ଅଶୋକ, ଏଲ. ଦୁର୍ଯ୍ୟୋଧନ, ଲାଲୀ ଖଗଡ଼ରାୟ, କେ. ଦୁର୍ଯ୍ୟୋଧନ ପ୍ରମୁଖ ପରିଚାଳନା କରିଥିଲେ ।