ଆକାଂକ୍ଷା ମହିଳା ସଙ୍ଗଠନ ଓ ଉତ୍କଳ ହିତୈସିଣି ସମାଜର ମିଳିତ ଆନୁକୂଲ୍ୟରେ ମହିଳା ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈସିଣି ସଭାଗୃହ ରେ ଗଜପତି ଜିଲ୍ଲାର ଆକାଂକ୍ଷା ମହିଳା ସଙ୍ଗଠନ ଓ ଉତ୍କଳ ହିତୈସିଣି ସମାଜର ମିଳିତ ଆନୁକୂଲ୍ୟରେ ଗୁରୁ ଗୌରବ ଗୌର ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କଲ୍ୟାଣି ଦାସ ଯୋଗଦେଇ କହିଥିଲେ ଯେ, ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ମାନଙ୍କୁ ବିଭିନ୍ନ ମାନସିକ ଓ ଶାରୀରିକ ହିଂସା ର ଶିକାର ହେବାକୁ ପଡୁଛି । ଏପରି ପରିସ୍ଥିତିରେ ମହିଳା ମାନେ ନିଜର ଅଧିକାର ପାଇଁ ପ୍ରତିବାଦ କରିବାକୁ ପଡିବ ।

ଏହି କାର୍ଯ୍ୟକ୍ରମର ସମ୍ମାନୀତ ଅତିଥି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଆନ୍ତର୍ଜାତିକ ମହିଳା ଦିବସ ପାଳନର ବହୁ ପୂର୍ବରୁ ଅର୍ଥାତ 1830 ମସିହାରୁ ହିଁ ଗଜପତି ଜିଲ୍ଲାର ମହିଳା ମାନେ ଇଂରେଜ ଶାସନ ବିରୋଧରେ ଲଢ଼ି ନାରୀ ସଶକ୍ତିକରଣର ଇତିହାସ ରଚି ଯାଇଛନ୍ତି . ସେ ନାରୀ ସମ୍ମାନ ଓ ଅଧିକାର ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀମତୀ ସ୍ୱାଗତିକା ଦାଶ, ଅତିରିକ୍ତ ତହସିଲଦାର ମହିଳାଙ୍କ ବିଭିନ୍ନ ରୂପ ସହ ମହିଳା ମାନଙ୍କୁ ନିଜର ଅଧିକାର ଓ ସୁରକ୍ଷା ସମ୍ପର୍କରେ ବୁଝାଇଥିଲେ . ଆକାଂକ୍ଷାର କାର୍ଯ୍ୟକାରିଣୀ ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଅତୀତରେ ସଶକ୍ତ ମହିଳାଙ୍କ ଉଦାହରଣ ଦେଇ କହିଥିଲେ ଯେ ସଂଘଠନ ହିଁ ଶକ୍ତି । ଆଉ ଆକାଂକ୍ଷାର ସଙ୍ଗଠନ କୁ ସୁଦୃଢ କରିବା ନିମନ୍ତେ ସମସ୍ତଙ୍କର ଆବଶ୍ୟକତା ରହିଛି ।

ସ୍ୱାଗତ ଭାଷଣ ମାଧ୍ୟମରେ ଡ଼କଲ୍ୟାଣି ମିଶ୍ର ସଶକ୍ତ ମହିଳାଙ୍କ ଶକ୍ତି ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଇ କରୋନା ମହାମାରୀ ସମୟରେ ଆକାଂକ୍ଷା ସଙ୍ଗଠନ ସଦସ୍ୟ ଓ ଅନ୍ୟାନ୍ୟ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଥିଲେ । ଆକାଂକ୍ଷା ସଙ୍ଗଠନ ର ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍ୱର୍ଣ୍ଣପ୍ରଭା ଅତିଥି ଆବାହକ ପୂର୍ବକ ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ । ଶ୍ରୀମତୀ ସୁକାନ୍ତି ପାଢ଼ୀ ଅତିଥି ପରିଚୟ ଦେଇଥିଲେ । ବିନୋଦଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଙ୍କ ତତ୍ୱାବଧାନ ରେ ଓ ସଂଯୋଜନାରେ ଅନୁଷ୍ଠାନର ସ୍ମରଣୀକା ଆକାଂକ୍ଷା ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ମମତା ପାଢ଼ୀ ଓ ଶ୍ରୀମତୀ ରଶ୍ମିତା ପାଠି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜୟ କୁମାର ମିଶ୍ର , ଡ଼ କଲ୍ୟାଣି ମିଶ୍ର, ଭାଗବତ ପାଢ଼ୀ, ଘନଶ୍ୟାମ ଜେନା, ଗୋପାଳଚନ୍ଦ୍ର ଶତପଥୀ, ବାବାଜୀ ବେହେରା , ଶ୍ରୀଦେବୀ ରଇତ, ଭାଗ୍ୟଲକ୍ଷ୍ମୀ ନାୟକ, ସଚ୍ଚିଦାନନ୍ଦ ସାମଲଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *