ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଏକ କଳା ସଂସ୍କୃତିର ସହର ହୋଇ ଥିବା ବେଳେ ଏଠାରେ କଳାକାର ମାନଙ୍କ ସକାଶେ ସଂସ୍କୃତି ଭବନ ନିର୍ମାଣ ନ ହୋଇ ପାରିବା ଏକ ବିଡ଼ମ୍ବନାର ବିଷୟ ଅଟେ । ସଂସ୍କୃତି ଭବନ ସ୍ଥାପନ ନେଇ ବିଳମ୍ବ ହେଉଥିବାରୁ ସଂସ୍କୃତି ପ୍ରେମୀଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି . ଜିଲ୍ଲାର କଳା ସଂସ୍କୃତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ପରିଚିତି ଲାଭ କରିଥିବା ସମୟରେ ଜିଲ୍ଲା ପ୍ରଶାସନର ଏପରି ମନୋଭାବ କୁ ନିନ୍ଦା କରିଛନ୍ତି କଳାପ୍ରେମୀ । ଜିଲ୍ଲାର ଗର୍ବ ଓ ଗୌରବକୁ କଳାକାର ମାନେ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରତିଷ୍ଠିତ କରାଇ ପାରିଛନ୍ତି । ଜିଲ୍ଲାର ପ୍ରଥମ ରଙ୍ଗମଞ୍ଚ ନାଟକ ଅନୁଷ୍ଠିତ ହୋଇଥିବା ସହର ରେ ଆଜି ପର୍ଯ୍ୟନ୍ତ ସଂସ୍କୃତି ଭବନ ଟିଏ ହୋଇପାରିଲା ନାହିଁ , ଯାହା ଫଳରେ କଳାକାର ମାନଙ୍କର ଏବଂ ସଂସ୍କୃତି ପ୍ରେମୀ ମାନଙ୍କର ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଏହି ବିଷୟରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଗୁରୁତ୍ୱ ନ ଦେବା ସମସ୍ତଙ୍କୁ ଚକିତ କରିଛି . ଦୀର୍ଘ ଦିନ ହେଲା ଜିଲ୍ଲାରେ ସଂସ୍କୃତି ବିଭାଗର ସଂସ୍କୃତି ଅଧିକାରୀ ପଦବୀ ଖାଲି ପଡ଼ିଛି ।ଏହାର ଦାୟିତ୍ୱ ବର୍ତ୍ତମାନ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ତୁଲାଉଛନ୍ତି । ପ୍ରକାଶ ଥାଉ କି ସହରରେ ସରକାରୀ ସ୍ତରରେ ଉପଯୁକ୍ତ ସ୍ଥାନ ନିରୂପଣ ହୋଇ ପାରୁ ନଥିବାରୁ ସଂସ୍କୃତି ଭବନ ନିର୍ମାଣ ହୋଇ ପାରୁନାହିଁ ବୋଲି ଶୁଣିବାକୁ ମିଳୁଛି । 2010 ମସିହାରୁ ଆସିଥିବା ଆର୍ଥିକ ଅନୁଦାନ ଖର୍ଚ୍ଚ ନ ହୋଇ ପଡିରହିଛି । ଏକାଦଶ କମିଶନଙ୍କ ଅନୁଦାନ 20 ଲକ୍ଷ ଟଙ୍କା ଏହି ଜିଲ୍ଲାକୁ ସଂସ୍କୃତି ଭବନ ସକାଶେ ଆସିଥିଲେ ସୁଦ୍ଧା 10 ବର୍ଷ ହେଲା ଏହି ଆର୍ଥିକ ରାଶି ସଂସ୍କୃତି ଭବନ ସକାଶେ ଖର୍ଚ୍ଚ ହୋଇ ପାରୁ ନଥିବା ଦୁଃଖଦ ଓ ପରିତାପର ବିଷୟ ଅଟେ । ସରକାରୀ ସ୍ତରରେ ଯଥା ଶୀଘ୍ର ସ୍ଥାନ ନିରୂପଣ କରି ସଂସ୍କୃତି ଭବନ ନିର୍ମାଣ ହୋଇ ପାରିଲେ ଜିଲ୍ଲାବାସୀ ଉପକୃତ ହୋଇ ପାରନ୍ତେ ।