ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବଢୁଛି ଖରା , ତାତି ବଢିବା ସହ ବଢ଼ିବାରେ ଲାଗିଛି ପାନୀୟ ଜଳ ସମସ୍ୟା . ସାଧାରଣ ଲୋକ ତଥା ପଥଚାରୀ ମାନଙ୍କୁ ଶୀତଳ ପାନୀୟ ଜଳ ଯୋଗାଇବା ପାଇଁ ପଟିଆ ସାଇ ମନ୍ଦିର ତରଫରୁ ଆରମ୍ଭ ହେବାକୁ ଯାଉଛି ଭ୍ରାମ୍ୟମାଣ ପାନୀୟ ଜଳ ସେବା ବ୍ୟବସ୍ଥା .
ଗ୍ରୀଷ୍ମ ଋତୁରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପଟିଆ ସାଇ ମନ୍ଦିର ପକ୍ଷରୁ ପାନୀୟ ଜଳସେବା ଆରମ୍ଭ ହେବାକୁ ଯାଉଥିବା ସମୟରେ , ଲୋକମାନଙ୍କ ପାଖରେ ଥଣ୍ଡା ପାନୀୟ ଜଳ ପହଞ୍ଚାଇବା ପାଇଁ ଗ୍ରହଣ କରାଯାଇଛି ନିଆରା ପଦକ୍ଷେପ . ମନ୍ଦିର ଟ୍ରଷ୍ଟ ତରଫରୁ ଏକ ଡାଲା ଗାଡ଼ିରେ ବଡ ପାଣି ଡ୍ରମ ସାହାଯ୍ୟରେ ଥଣ୍ଡା ପାନୀୟ ଜଳ ଯୋଗାଣ କରାଯିବ . ପଟିଆ ସାଇ ମନ୍ଦିର ଶ୍ରଦ୍ଧାଳୁ ମାନଙ୍କ ଉଦ୍ୟମରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଆସନ୍ତା କାଲି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଅଛି .
ପଟିଆ ସ୍ଥିତ ସାଇ ସେବା ଟ୍ରଷ୍ଟ ଏବଂ ଭୁବନେଶ୍ୱର ମହାନଗର ନିଗମର ମିଳିତ ଉଦ୍ୟମରେ ଯୋଜନା କରାଯାଇଥିବା ଏପରି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଥିବା ସମୟରେ , ପିଇବା ପାଣି ପାଇଁ କଷ୍ଟ ଭୋଗୁଥିବା ଲୋକଙ୍କ ପାଖରେ ଏହା ସହଜରେ ପହଞ୍ଚି ପାନୀୟ ଜଳ ଯୋଗାଇ ପାରିବ . ସହର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ତଥା ଛକ ଜାଗା ମାନଙ୍କୁ ଯାଇ ପ୍ରତ୍ୟେକ ଦିନ ଏହି ଭ୍ରାମ୍ୟମାଣ ଗାଡି ପାନୀୟ ଜଳ ବଣ୍ଟନ କରିବ ବୋଲି ସୂଚନା ଦେଇଛନ୍ତି ପଟିଆ ସାଇ ସେବା ଟ୍ରଷ୍ଟ ର ଅନ୍ୟତମ ଉଦ୍ୟୋକ୍ତା ମିହିର କୁମାର ରାଉତ . ଆଗାମୀ ଦିନରେ ଆବଶ୍ୟକତା କୁ ଆଖି ଆଗରେ ରଖି ଏକାଧିକ ଗାଡି ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି .