କରୋନାରେ ଚାଲିଗଲେ ଅଭିନେତା ଯମ ମହାରାଜ : କନ୍ଧମାଳ ଜିଲାରେ ଶୋକର ଛାୟା

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ଫିରିଙ୍ଗିଆ ସହରର ଜଣାଶୁଣା ମଞ୍ଚ କଳାକାର ବାସୁଦେବ ସାହୁଙ୍କ ମଙ୍ଗଳବାର ସକାଳୁ ଚିକିତ୍ସିତ ଅବସ୍ଥାରେ କୋଭିଡ଼ ମେଡ଼ିକାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ଏହି ଖବର ପ୍ରଚାରିତ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ବାସୁଦେବ ସାହୁ କନ୍ଧମାଳ ଜିଲ୍ଲାର ଜଣେ ସଫଳ ମଞ୍ଚ ଅଭିନେତା ଭାବେ ବେଶ୍ ପରିଚିତ ଥିଲେ । ସମାଜ ସେବା କ୍ଷେତ୍ରରେ ମଧ୍ୟ ସେ ବେଶ ଆଗରେ ଥିଲେ । କରୋନାର ଦ୍ୱିତୀୟ ଲହରି ଆରମ୍ଭରେ ସେ ଫିରିଙ୍ଗିଆ ପୁଲିସ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ନିଜକୁ ଯମ ମହାରାଜ ବେଶରେ ସଜାଇ ଅଞ୍ଚଳରେ ସଚେତନତା ସୃଷ୍ଟି କରିଆସୁଥିଲେ । ଯମ ମହାରାଜଙ୍କ ଭୂମିକାରେ ଅଭିନୟ କରି ଫିରିଙ୍ଗିଆ ସହର ଠାରୁ ଆରମ୍ଭ କରି ଆଖପାଖ ଗ୍ରାମ ମାନଙ୍କରେ ମଧ୍ୟ ସଚେତନତା ବାର୍ତ୍ତା ଦେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଗତ କିଛିଦିନ ତଳେ ଯିଏ କରୋନାକୁ ନେଇ ଗାଁ ଗାଁରେ ସଚେତନତା ସୃଷ୍ଟି କରୁଥିଲେ ଆଜି ତାଙ୍କର କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ଖବର ସମସ୍ତଙ୍କ ଏକ ପ୍ରକାର ଚକିତ କରିଛି । ଏହି ଖବରରେ ଅଞ୍ଚଳବାସୀ ସ୍ତବ୍ଧ ହୋଇ ପଡ଼ିଛନ୍ତି । ସ୍ୱର୍ଗତ ସାହୁ ଫିରିଙ୍ଗିଆର ବରିଷ୍ଠ ସାମ୍ବାଦିକ ମହାଦେବ ସାହୁଙ୍କ ବଡଭାଇ । କୋଭିଡ ମେଡିକାଲରୁ ତାଙ୍କ ଶବ ଫିରିଙ୍ଗିଆରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଚିହ୍ନଟ ଶ୍ମଶାନରେ ତାଙ୍କର କୋଭିଡ଼ ନିୟମ ପ୍ରକାରେ ସତ୍କାର କରାଯାଇଛି । ମୃତଦେହ ସତ୍କାର ସମୟରେ ଫିରିଙ୍ଗିଆ ବିଡିଓ ରଶ୍ମି ରଞ୍ଜନ ମହନ୍ତଙ୍କ ସହ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମିଲନ କୁମାର ପ୍ରଧାନ, ରାଜସ୍ୱ ନୀରିକ୍ଷକ ବାସୁଦେବ ବେହେରା, ବନ୍ଧଗଡ ରାଜସ୍ୱ ନୀରିକ୍ଷକ ବାଳକୃଷ୍ଣ ବେହେରା, ଫିରିଙ୍ଗିଆ ଥାନା ଏଏସଆଇ ଉଦୟନାଥ ଆଚାର୍ଯ୍ୟ, ତହସିଲଦାର ଅଭିନାଶ ମାହାର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସ୍ୱର୍ଗତ ସାହୁଙ୍କ ବଡପୁଅ ଦେବାଶିଷ ସାହୁ ମୁଖାଗ୍ନି ଦେଇଥିବାବେଳେ ସାମାଜିକ ଦୁରତା ରକ୍ଷା କରିବା ସହ କୋଭିଡ ନିୟମ ପାଳନ କରାଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲ । ପ୍ରକାଶ ଯେ, ଗତ କିଛିଦିନ ତଳେ ସ୍ୱର୍ଗତ ସାହୁ ଅସୁସ୍ଥ ହୋଇ ପଡ଼ିଥିଲେ । ସେହି ସମୟରେ କୋଭିଡ଼ ପରୀକ୍ଷାରେ ସେ ପଜିଟିଭ ଚିହ୍ନଟ ହେବାରୁ ତାଙ୍କୁ ଚିକିତ୍ସା ପାଇଁ କୋଭିଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲ । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା l

Leave a Reply

Your email address will not be published. Required fields are marked *