କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରେ ମନରେଗା ଯୋଜନା ଆଣ୍ଠେଇ ପଡିଛି କହିଲେ ଭୁଲ ହେବନି । ମନରେଗା ଜବ କାର୍ଡ଼ଧାରୀ ମାନେ କାମ କରି ବର୍ଷ ବର୍ଷ ଧରି ନିଜ ନିଜ ର ପ୍ରାପ୍ୟ ପାଉ ନାହାନ୍ତି । ଏ ନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ପ୍ରକାଶ ଯେ, ସରକାରୀ ନିୟମ ଅନୁସାରେ ଜବକାର୍ଡ଼ ଧାରୀମାନଙ୍କୁ କାମ କରିବାର ୧୫ ଦିନ ମଧ୍ୟରେ ପ୍ରାପ୍ୟ ଦେବାର ନିୟମ ରହିଛି । ହେଲେ ଏଠାରେ ବର୍ଷବର୍ଷ ପରେ ମଧ୍ୟ ମନରେଗା ପ୍ରାପ୍ୟ ମିଳୁ ନ ଥିବାରୁ ଜବ କାର୍ଡ଼ଧାରୀ ମାନେ ପଞ୍ଚାୟତରୁ ଆରମ୍ଭ କରି ବ୍ଳକ ଯାଏ ଦଉଡି ଦଉଡି ହତାଶ ହେଉଥିବା ଅଭିଯୋଗ ହେଉଛି । ମନରେଗା ଯୋଜନାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକର ରଟିଙ୍ଗିଆ ପଞ୍ଚାୟତର ତୁମୁସିଙ୍ଗିଆ ଗ୍ରାମର ବହୁ ହିତାଧିକାରୀ କାମ କରି ପାଖାପାଖି ବର୍ଷେ ହେବ ପାଉଣା ନ ପାଇ ହନ୍ତସନ୍ତ ହେଉଥିବା କହିଛନ୍ତି । ସେମାନେ କରୋନା ମହାମାରୀ ସମୟରେ ଗତ ବର୍ଷ ନିକଟସ୍ଥ ମାହାଡ଼ିମାହା ଗ୍ରାମରେ କାମ କରିଥିଲେ, ହେଲେ ବାରମ୍ଵାର ଅଭିଯୋଗ ପରେ କିଛି କିଛି ପାଉଣା ପାଇଥିବା ବେଳେ ଆହୁରି ଲକ୍ଷାଧିକ ଟଙ୍କା ପାଉଣା ବାକି ଥିବା କହୁଛନ୍ତି । ତେବେ ବର୍ତ୍ତମାନ ପୁଣି କରୋନା ପାଇଁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି । କାମ ଧନ୍ଦା ବି ମିଳୁନି , ଏଣୁ ଚଳିବା ମଧ୍ୟ ମୁସ୍କିଲ ହୋଇ ପଡୁଛି । ଏଣୁ ବକେୟା ପାଉଣା ମିଳିଲେ ସେମାନେ ଭଲରେ ଚଳି ପାରନ୍ତେ ବୋଲି ହିତାଧିକାରି ନିରଞ୍ଜନ ଦିଗାଲ ଓ ସୁମିତ୍ରା ନାୟକ ପ୍ରକାଶ କରିଛନ୍ତି । ଏଥିପ୍ରତି ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ, ଜିଲ୍ଲାପାଳ ଓ ବିଡ଼ିଓ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ।