ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ବେଳେ ଗ୍ରାମରୁ ୩ କୋରୋନା ଆକ୍ରାନ୍ତ ଚିହ୍ନଟ

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କୋରୋନା ମହାମାରୀର ଦ୍ୱିତୀୟ ଲହର ସମଗ୍ର ଦେଶରେ ତାଣ୍ଡବ ରଚି ଚାଲିଥିବା ବେଳେ ଏହାର ପ୍ରଭାବ ଗ୍ରାମାଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି । ଏପରି ସ୍ଥଳେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡର ଦାରିଙ୍ଗବାଡି ବ୍ଲକ ଅଧିନସ୍ଥ କିରୀକୁଟି ପଞ୍ଚାୟତର ବୁରାଙ୍ଗିଆ, ବୁଦେଲିପଡ଼ି, ଝାରମୁଣ୍ଡା ପ୍ରଭୃତି ଗ୍ରାମରେ ରହୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ଅଶୀରୁ ଉର୍ଦ୍ଧ୍ୱ ଲୋକ ସପ୍ତାହେ ହେଲା ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ଗତ ତିନି ଦିନ ତଳେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତକ ଜଣକ ହେଉଛନ୍ତି ୫୮ ବର୍ଷୀୟ ସହସ୍ର ମଲିକ । ଏନେଇ ଖବର ପାଇବା ପରେ କନ୍ଧମାଳ ଜିଲ୍ଲାପାଳ ଡ଼.ବୃନ୍ଦା ଡ଼ି ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡି ଜନସ୍ୱାସ୍ଥ୍ୟ ଅଧିକାରୀ ଯାକେଶ ସାମନ୍ତରାୟ ଏକ ଟିମ ନେଇ ସେଠାରେ ପହଞ୍ଚିଥିଲେ । ତାଙ୍କ ସହ ଦାରିଙ୍ଗବାଡି ବିଡି଼ଓ ଅଭିମନ୍ୟୁ ବେହେରା ଏବଂ ତହସିଲଦାର କଳାକୃଷ୍ଣ ପ୍ରଧାନ ମଧ୍ୟ ଉକ୍ତ ଗ୍ରାମରେ ପହଞ୍ଚି ଲୋକଙ୍କ ଘର ଘର ବୁଲି ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ନିଜ ଗାଁରେ ସ୍ଥାନୀୟ ପ୍ରଶାସନ ସହ ସ୍ୱାସ୍ଥ୍ୟ ବିଭାଗ ଏକ ଟିମ ଘରକୁ ଘର ବୁଲି ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝୁଥିବାରୁ ଗ୍ରାମର ଅନେକ ଲୋକ ଭୟରେ ନିଜ ଘରର ତାଟି କବାଟରେ ତାଲା ପକାଇ କିଏ କୁଆଡ଼େ ଚାଲି ଯାଇଥିଲେ । ଯାହା ଫଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଧିଷ୍ଟ କିଛି ଲୋକଙ୍କ ଆଣ୍ଟିଜେନ ଟେଷ୍ଟ, ଆରଟିପିସିଆର ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣ କୋରନା ପଜଟିଭ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଏହା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗାଁର ୨ ପ୍ରବେଶ ଦ୍ୱାରରେ ବାଉଁଶ ପକାଇ ବୁଦେଲିପଡ଼ି, ଝାରମୁଣ୍ଡା ଗ୍ରାମକୁ ନିଷିଦ୍ଧାଞ୍ଚଳ ବୋଲି ଘୋଷଣା କରାଯାଇଛି । ଏହା ସହ ଘରକୁ ଘର ବୁଲି ସଭିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝି ଏକ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରି ତୁରନ୍ତ ପ୍ରଦାନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମର ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜ୍ୱରରେ ଆକ୍ରାନ୍ତ ରହିଥିବା ବ୍ୟକ୍ତିଙ୍କ ନିକଟରେ କୋରୋନା ଭୂତାଣୁର ସେଭଳି କୌଣସି ଲକ୍ଷଣ ନଥିବା ବେଳେ କେବଳ ମୁଣ୍ଡ ବ୍ୟଥା ଜ୍ୱର ଲାଗି ରହିଥିବାରୁ ସେମାନଙ୍କୁ ଆବଶ୍ୟକୀୟ ସେବା ଯୋଗାଇ ଦିଆଯାଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *