ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : କୋଭିଡ ପରୀକ୍ଷା କେନ୍ଦ୍ରକୁ ସାହି ବାସିନ୍ଦାଙ୍କ ବିରୋଧ । ରାୟଗଡା ସହର ର ଗାନ୍ଧୀନଗର ଓ ଇନ୍ଦିରାନଗର ସ୍ଥିତ ବିଦ୍ୟାଳୟ ଠାରେ ନୂତନ ଭାବେ ଖୋଲା ଯାଇଥିବା କୋଭିଡ଼ ପରୀକ୍ଷା କେନ୍ଦ୍ରକୁ ସେଠାକାର ଜନସାଧାରଣ ତୀବ୍ର ବିରୋଧ କରିଛନ୍ତି । ଜନ ବସତି ଅଞ୍ଚଳରେ କିଭଳି କୋଭିଡ଼ ପରୀକ୍ଷା କେନ୍ଦ୍ର କରାଗଲା ବୋଲି ପ୍ରଶ୍ନ କରିଛନ୍ତି । ଏଭଳିକି ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ପୁର୍ବରୁ ସେଠାକାର ଜନବସତି, ଯାନବାହାନ ପାର୍କିଂ ସ୍ଥଳୀ ଓ ଅନ୍ୟାନ୍ୟ ବ୍ୟବସ୍ଥା ରହିଛି ନା ନାହିଁ ଅନୁଧ୍ୟାନ ନ କରି ତରବରିଆ ଭାବେ ପଦକ୍ଷେପ ନେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଛନ୍ତି । ଅପର ପକ୍ଷରେ ପରୀକ୍ଷା କେନ୍ଦ୍ରକୁ ଆସୁଥିବା ଲୋକେ ସ୍ଥାନ ଅଭାବ ଯୋଗୁଁ ଏଣେତେଣେ ଲୋକଙ୍କ ଘର ବାରଣ୍ଡାରେ ବସି ଖାସିବା ସହ ଛେପ ପକାଉଛନ୍ତି । ଯାହା ଦ୍ୱାରା ସୁସ୍ଥ ଲୋକେ ସଂକ୍ରମଣର ଶିକାର ହେବା ଘଟଣାକୁ ଏଡାଇ ଦିଆଯାଇ ପାରିବ ନାହିଁ । ଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ଥିବା ପ୍ରକାଶ କରିଛନ୍ତି । କୋଭିଡ ପରୀକ୍ଷାକୁ ଲୋକେ ବିରୋଧ କରୁ ନଥିବା ବେଳେ ସଠିକ ସ୍ଥାନ ଚିହ୍ନଟ କରିବା ଦ୍ଵାରା ଲୋକେ କୌଣସି ପ୍ରକାର ଅସୁବିଧା ନ ଭୋଗି ସୁରୁଖୁରୁରେ ପରୀକ୍ଷା କରି ପାରିବେ ବୋଲି କହିଛନ୍ତି। ତେଣୁ ତୁରନ୍ତ ପରୀକ୍ଷା କେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି । ଏଠାରେ ପ୍ରକାଶ ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଥି ପୁର୍ବରୁ କୋଭିଡ ପରୀକ୍ଷା କେନ୍ଦ୍ର ରହିଥିଲା । ଆଜିଠାରୁ ତାହା ବନ୍ଦ କରି ଉକ୍ତ ଦୁଇ ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଥିବା ଜଣାପଡିଛି ।