କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କେନ୍ଦୁପତ୍ର ତୋଳା ସିଜନ ଚାଲିଥିବାରୁ ବିଭାଗ ପକ୍ଷରୁ କେନ୍ଦୁପତ୍ର ସଂଗ୍ରହ କରାଯାଉଥିବା ବେଳେ କେହି ଦୁର୍ବୁତ୍ତ କେନ୍ଦୁପତ୍ର ଫଡ଼ିରେ ନିଆଁ ଲଗାଇ ଦେବା ଫଳରେ ଫଡିରେ ଥିବା ସବୁ କେନ୍ଦୁପତ୍ର ପୋଡି ପାଉଁଶ ହୋଇଯାଇଛି । ଏଭଳି ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ଫୁଲବାଣୀ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଗୋଛାପଡ଼ା ରେଞ୍ଜ ଅଧିନସ୍ଥ ପାହି ରାଜ ଫଡିରେ । ଖବର ପାଇ କେନ୍ଦୁପତ୍ର ଡିଏଫଓ ପତିତପାବନ ପରିଡା ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି । ଏନେଇ ଗୋଛାପଡ଼ା ଥାନାରେ ଏତଲା ଦେଇଛି ବିଭାଗ ।

ଏହି ଫଡିରେ ୨ ଲକ୍ଷ ୭୬ହଜାର ୪୫୦ କେରୀ କେନ୍ଦୁପତ୍ର ଗଛିତ ଥିଲା ଓ ଏହାର ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ଡିଏଫଓ ପତିତ ପାବନ ପରିଡ଼ା କହିଛନ୍ତି । ତେବେ କିଏ କାହିଁକି ଆଉ କେଉଁ ଉଦ୍ଦେଶ୍ୟରେ ଫଡିରେ ନିଆଁ ଲଗାଇଲା ତାହା ଜଣାପଡିନି । ଗୋଚ୍ଛାପଡ଼ା ପୋଲିସ ତଦନ୍ତ କରୁଥିଲେ ମଧ୍ୟ କାହାରିକୁ ଗିରଫ କରି ନଥିବା ଜଣାପଡିଛ । ତେବେ ଏଥିରେ ବିଭାଗୀୟ କୌଣସି କର୍ମଚାରୀଙ୍କ ହାତ ନାହିଁ ତ? ବୋଲି ପ୍ରଶ୍ନ ଉଠିଛି । ତେବେ ଗ୍ରାମବାସୀ ଜଣଙ୍କୁ ସନ୍ଦେହ କରୁଥିବା କଥା କହୁଥିବା ବେଳେ ପୋଲିସ ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ବିଭାଗୀୟ ଡିଏଫଓ ଶ୍ରୀ ପରିଡା ପ୍ରକାଶ କରିଛନ୍ତି ।