ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଅନୁଷ୍ଠାନର ନାଁ କୁ ସାର୍ଥକ କରି ” ଅନ୍ୱେଷଣ ” ଜାରି ରଖିଛି ତାର ପ୍ରୟାସ . ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭା ଠାରୁ ଆରମ୍ଭ କରି ସାଧାରଣ ଜନଜୀବନର ସ୍ପର୍ଶକାତର ସମସ୍ୟା ପର୍ଯ୍ୟନ୍ତ ସବୁଠି ରହିଛି ଅନ୍ଵେଷଣର ନଜର . ଟ୍ରଷ୍ଟ ର ମୁଖ୍ୟ ଉଦ୍ୟୋକ୍ତା ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକଙ୍କ ପ୍ରୟାସରେ “ଗଣମାଧ୍ୟମରେ ସାମ୍ବାଦିକଙ୍କ ଭୂମିକା” ଶୀର୍ଷକ ଏକ ଭରଚୁଆଲ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି . କଟକ , ଖୋର୍ଦ୍ଧା , ନୟାଗଡ , କୋରାପୁଟ ଏବଂ ଦେବଗଡ ଜିଲ୍ଲାର ପନ୍ଦର ଟି ବ୍ଲକ ର ପାଖାପାଖି ପଚାଶ ଜଣ ପ୍ରତିନିଧି ଏହି ଆଭାସି ବୈଠକରେ ଅଂଶ ଗ୍ରହଣ କରିଥିଲେ . ଅବସରପ୍ରାପ୍ତ କର୍ମଚାରୀ ତଥା କଳାପଥର ଅଞ୍ଚଳର ଜଣାଶୁଣା ବ୍ୟକ୍ତିତ୍ୱ ବସନ୍ତ ନାୟକଙ୍କ ପରାମର୍ଶ ଏବଂ ସାମ୍ବାଦିକ ଗଙ୍ଗାଧର ସାହୁ ଏବଂ ରଞ୍ଜନ କୁମାରଙ୍କ ସହଯୋଗରେ ସଂପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା .
ସମାଜରେ ସୁଧାର ଓ ପରିବର୍ତ୍ତନ ଆଣିବା ପାଇଁ ଚାପମୁକ୍ତ ସାମ୍ବାଦିକତାର ଆବଶ୍ୟକତା ରହିଛି , କେବଳ ଭୟମୁକ୍ତ ପରିବେଶରେ ହିଁ ଚାପମୁକ୍ତ ସାମ୍ବାଦିକତା କରିହେବ ଏବଂ ଭୟମୁକ୍ତ ପରିବେଶ ତିଆରି କରିବାର ଦାୟିତ୍ୱ ହେଉଛି ସରକାରଙ୍କର , ଦାୟିତ୍ୱ ହେଉଛି ସମାଜର . ଆଲୋଚନା ଚକ୍ରରେ ଏପରି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ରଖିଥିଲେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର . ବିଭିନ୍ନ ଦିଗ ଏବଂ ବିଚାର ବିନ୍ଦୁ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲେ ବି ଆୟୋଜିତ ଆଭାସୀ ବୈଠକର ନିର୍ଯ୍ୟାସ ଭାବରେ ସମସ୍ତେ ଏହାକୁ ଗ୍ରହଣ କରିଥିଲେ . ବରିଷ୍ଠ ଆଇନଜୀବୀ ଅଜିତ କୁମାର ପଟ୍ଟନାୟକ , ଯଯାତି କେଶରୀ ପଟ୍ଟନାୟକ ବିଷୟ ବସ୍ତୁ ସମ୍ପର୍କୀୟ ଆଇନଗତ ପ୍ରସଙ୍ଗକୁ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ . ଜଣେ କାର୍ଯ୍ୟରତ ସାମ୍ବାଦିକ ସ୍ୱାଧୀନ ଭାବରେ ମତ ପ୍ରକାଶ କରିବା ଏକ ସାମ୍ବିଧାନିକ ଅଧିକାର ଏବଂ ଏଥିରେ କେହି ଅନ୍ୟାୟୋଚିତ ଢଙ୍ଗରେ ହସ୍ତକ୍ଷେପ କରିବା ଉଚିତ ନୂହେଁ ବୋଲି ମତ ରଖିଥିଲେ ବାଙ୍କୀର ଚିନ୍ତାଶୀଳ ସୁବକ୍ତା ସତ୍ୟନାରାୟଣ ସାମନ୍ତ . ସେହିପରି ବିଷୟ ସମ୍ପର୍କୀତ ଅନେକେ ଉପାଦେୟ ତଥ୍ୟକୁ ଚମତ୍କାର ଶୈଳୀରେ ଉପସ୍ଥାପନା କରିଥିଲେ ସାମ୍ବାଦିକ ସମ୍ପାଦକ କବି ଭାଷ୍ୟକାର – ଗୋଟିଏ ଶବ୍ଦରେ ପରିଚୟ ଦେଲେ ଅଲରାଉଣ୍ଡର ଚନ୍ଦ୍ରବିଜୟୀ ମିଶ୍ର . ସମୟର ସ୍ୱଳ୍ପତା ଦୃଷ୍ଟିରୁ ସମସ୍ତ ବ୍ୟକ୍ତି ନିଜ ମତକୁ ସଂକ୍ଷିପ୍ତ କରିଥିଲେ ସୁଦ୍ଧା ବରିଷ୍ଠ ସମାଲୋଚକ ଗିରିଜା ପ୍ରସାଦ ପଟ୍ଟନୟକ , ସମାଜସେବୀ ଦେବୀ ପ୍ରସାଦ ମହାନ୍ତି , ଅକ୍ଷୟ କୁମାର ସାହୁ , ସସ୍ମିତାରାଣୀ ସାହୁ ଏବଂ କାର୍ଯ୍ୟକ୍ରମ ପରିଚାଳକ ପ୍ରଦୀପ କୁମାର ପଟ୍ଟନାୟକ ଅତ୍ୟନ୍ତ ସୁନ୍ଦର ବିଚାର ବିନ୍ଦୁ ପରିବେଷଣ କରିଥିଲେ . ବାଙ୍କୀ ର ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର , ବେଗୁନିଆ ଅଞ୍ଚଳର ସାମ୍ବାଦିକ ଦୀପକ କୁମାର ପାହାଡ଼ସିଂହ , ବୋଲଗଡ଼ର ସାମ୍ବାଦିକ ଗଙ୍ଗାଧର ସାହୁ , ଆୱାଜ ମିଡ଼ିଆ ବ୍ୟୁରୋ ଚିଫ ସତ୍ୟବ୍ରତ ଦାଶ, ମାହାଙ୍ଗା ଅଞ୍ଚଳର ସାମ୍ବାଦିକ ଅର୍ଜୁନ କୁମାର ସାହୁ ସ୍ଵୀୟ ମତ ଉପସ୍ଥାପନା କରିବା ସହିତ ସାମ୍ବାଦିକ କଲ୍ୟାଣ ଯୋଜନା , ସାମ୍ବାଦିକ ସୁରକ୍ଷା ବିଲ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟ ଉପରେ ରାଜ୍ୟ ତଥା କେନ୍ଦ୍ର ସରକାର ସ୍ପଷ୍ଟ ନୀତି ଗ୍ରହଣ କରିବା ପାଇଁ ଦାବୀ ରଖିଥିଲେ !
ଆୟୋଜକ ଅନୁଷ୍ଠାନର ଏପରି ପ୍ରୟାସକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିବା ସମୟରେ , ଆଗାମୀ ଦିନରେ ଭିନ୍ନ ଭିନ୍ନ ବିଷୟ ଉପରେ ଭରଚୁଆଲ ଆଲୋଚନା ଚକ୍ର ଆୟୋଜନ କରିବା ପାଇଁ ଯୋଜନା କରାଯାଇଥିବା କଥା ଅନ୍ୱେଷଣ ର ଉଦ୍ୟୋକ୍ତା ପ୍ରକାଶ କରିଥିଲେ .