ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏଠାରେ ବିଶ୍ରାମ ନେଇଥିଲେ
କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରାମ ଛତ୍ରୀଆ : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କଶ୍ରୁପଡାରେ ତତ୍କାଳୀନ କଳାହାଣ୍ଡି ମହାରାଜା ପ୍ରତାପ କେଶରେ ଦେଓ ଏକ ଡାକ ବଙ୍ଗଳା ନିର୍ମାଣ କରିଥିଲେ । ତେବେ ସ୍ୱାଧୀନତା ପରେ ତଥା ଓଡିଶା ରାଜ୍ୟ ସହିତ କଳାହାଣ୍ଡି ରାଜ୍ୟର ମିଶ୍ରଣ ପରେ ଏହି ଡାକ ବଙ୍ଗଳା ରାଜ୍ୟ ସରକାର ଅଧୀନକୁ ଆସିଥିଲା , ଏବଂ ପୂର୍ତ୍ତ ବିଭାଗକୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଦାନ କରାଯାଇଥିଲା । କିଛି ଦିନ ଏହି ଡାକବଙ୍ଗଳାର ରକ୍ଷଣାବେକ୍ଷଣ ପରେ ଏହାର ମରାମତି କଥା ଭୁଲି ଯାଇଛି ବିଭାଗ । ଯାହା ଫଳରେ ଏହି ଡାକ ବଙ୍ଗଳା ପରିତ୍ୟକ୍ତ ହୋଇ ପଡିଛି , ଏବଂ ନିଜ ପରିଚୟ ଖୋଜୁଛି ।

ପ୍ରକାଶ ଯେ କଳାହାଣ୍ଡି ରାଜ୍ୟର ୩୧ ତମ ମହାରାଜା ଭାବେ ୧୯୩୯ ମସିହାରେ ମହାରାଜା ପ୍ରତାପ କେଶରେ ଦେଓ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ଶାସନ ସମୟରେ ବର୍ତମାନ ଜାତୀୟ ରାଜପଥ ନଂ୨୬ ସ୍ଥିତ କଶ୍ରୁପଡା ଠାରେ ଏକ ଡାକ ବଙ୍ଗଳା ନିର୍ମାଣ କରିଥିଲେ । ଏହିଠାରେ ବର୍ତମାନ ବଙ୍ଗଳା ପଡା ନାମରେ ଏକ ଜନବସତି ରହିଛି । ତେବେ ଜିଲା ପୂର୍ତ୍ତ ବିଭାଗର ଅବହେଳା ଯୋଗୁଁ ଏହି ଡାକ ବଙ୍ଗଳା ପରିତ୍ୟକ୍ତ ଅବସ୍ଥାରେ ରହିଛି । ଏହା ବର୍ତ୍ତମାନ ଅସାମାଜିକ ବ୍ୟକ୍ତିଙ୍କ ଅଡ୍ଡାସ୍ଥଳୀ ପାଲଟିଛି। ସେହିପରି ପ୍ରାୟ ଦୁଇ ବର୍ଷ ହେବ ଡାକବଙ୍ଗଳା ପରିସରରେ ସପ୍ତାହର ପ୍ରତି ରବିବାର ସାପ୍ତାହିକ ହାଟ ବସୁଛି । ଜିଲାର ଐତିହ୍ୟର ବାର୍ତ୍ତା ବହନ କରୁଥିବା ଡାକବଙ୍ଗଳା ବର୍ତ୍ତମାନ ନିଜର ପରିଚୟ ଖୋଜୁଛି । ମିଳିଥିବା ସୂଚନା ମୁତାବକ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ କଳାହାଣ୍ଡି ଗସ୍ତ ସମୟରେ ଏହି ଡାକବଙ୍ଗଳା ଠାରେ କିଛି ସମୟ ପାଇଁ ବିଶ୍ରାମ ନେଇଥିଲେ , ଏବଂ ବଙ୍ଗଳାର କାରୁକାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଥିଲେ । ତେବେ ଏହି ବଙ୍ଗଳାକୁ ଜିଲ୍ଲାର ସ୍ମୁତି ଭାବେ ସୁରକ୍ଷିତ କରି ରଖିବା ପରିବର୍ତ୍ତେ ପରିତ୍ୟକ୍ତ ଭାବେ ଛାଡି ଦିଆଯାଇଛି । ଏଣୁ ବର୍ତ୍ତମାନ ଏହାର ରକ୍ଷଣାବେକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

