ଗଜପତି ଯୁବ କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ !

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦେଶରେ ପେଟ୍ରୋଲ ଓ ଡିଜେଲ ର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି . ଯୁବ କଂଗ୍ରେସ ସଦସ୍ୟ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ । କରୋନା ଭଳି ମହାମାରୀ ବେଳେ ଭାରତ ଭଳି ଏକ ଜନମଂଗଳ ରାଷ୍ଟ୍ରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିଜର ଦାୟିତ୍ୱ କୁ ସଂପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ତୈଳଜାତ ପଦାର୍ଥର ମୂଲ୍ୟରେ ଆନ୍ତର୍ଜାତୀୟ ବଜାର ଆଧାରରେ ପଇସାଟିଏ ବୃଦ୍ଧି ପାଇଲେ ଉଭୟ ବିଜେଡି-ବିଜେପି ତୁମ୍ବି ତୋଫାନ କରୁଥିବା ବେଳେ ଏବେ ଚୁପ କାହିଁକି ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଶ୍ନ କରିଛନ୍ତି । ଯେତେ ଦିନ ପର୍ଯ୍ୟନ୍ତ ସରକାର ସାଧାରଣ ଲୋକ ମାନଙ୍କ ସ୍ୱାର୍ଥ ପ୍ରତି ଆଖି ବୁଜି ବର୍ଦ୍ଦିତ ତୈଳଦର ପ୍ରତ୍ୟାହାର କରି ନାହାଁନ୍ତି ସେ ପର୍ଯ୍ୟନ୍ତ ଯୁବ କଂଗ୍ରେସ ଚୁପ ବସିବ ନାହିଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ ବ୍ଲକ ଓ ପଞ୍ଚାୟତ ସ୍ତରରେ ଆନ୍ଦୋଳନ କରାଯିବାକୁ ସ୍ଥିର ହୋଇଛି । ମଂଗଳବାର ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥି ଭି ଚନ୍ଦ୍ରଶେଖର ନାଇଡୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ଜିଲ୍ଲାର ସବୁ ବ୍ଲକରୁ ଯୁବ କଂଗ୍ରେସ କର୍ମି ମାନେ ବେଶ ଉତ୍ସାହର ସହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗମାଙ୍ଗଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନଥିଲା । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା, ରାଜା ପାତ୍ର, ବିବେକାନନ୍ଦ ଶବର, ପ୍ରବିଣ ଲିମା, ମୁନ୍ନା ମହାରଣା, ଅବସେଲମ ରଇତ, ଦେବାଶିଷ ମଲ୍ଲିକ, ସୁଶିଳ ମାଝୀ, ଅବଦୁଲ ଆଜିମ, ସୁମିତ ମିଶାଲ, ମୋହନ କୁମାର ମିଶାଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *