ବେଆଇନ ବାଲି ଖନନ ମହାନଦୀ ବନ୍ଧକୁ ବିପଦ !!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାନ୍ତ କଲାଣି ବାଲି ବୋଝେଇ ଭାରୀଯାନ. ଧୂଳି ଧୂଆଁ ଓ କୋଳାହଳରେ ଅତିଷ୍ଠ ହୋଇପଡିଲେଣି ତ୍ରିଶୁଳିଆ ଅଞ୍ଚଳବାସୀ . ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନ . ରାଜସ୍ୱ ଆଦାୟ ର ଟାର୍ଗେଟ ପୂରଣ ସହ ମାସିକିଆ ବଟି ନିଶା ଏତେ ଘାରିଛି ଯେ, ବାରଙ୍ଗ ତହସିଲ କାର୍ଯ୍ୟାଳୟ ରେ ସମ୍ମାନିତ ଅତିଥି ପାଲଟିଛନ୍ତି ବାଲି ମାଫିଆ . କଟକ ତ୍ରିଶୁଳିଆ ସଂଯୋଗୀ ସେତୁ ଖୋଲିବା ପରେ ତ୍ରିଶୁଳିଆ ମଧ୍ୟ ଦେଇ ବଢ଼ିବାରେ ଲାଗିଛି ବାଲି ଗାଡି ଚଳାଚଳ . ବ୍ରିଜ ସମେତ ରାସ୍ତାର ଉଭୟ ପାର୍ଶ୍ୱ ରେ ଜମି ରହିଛି ତିନି ଚାରି ଇଞ୍ଚ ବହଳ ର ବାଲି . ଯାହା ଫଳରେ ଘଟୁଛି ଅନେକ ଛୋଟ ବଡ ଦୁର୍ଘଟଣା . ରାସ୍ତାରେ ଜମିଥିବା ବାଲି କାରଣରୁ ଭାରସାମ୍ୟ ହରାଇ ପଡୁଛନ୍ତି ବାଇକ ଓ ସାଇକେଲ ଆରୋହୀ. ତେବେ ମହାନଦୀ ରୁ ବାଲି ଉଠାଣ ସୃଷ୍ଟି କରିଛି ଆଉ ଏକ ସ୍ପର୍ଶକାତର ସମସ୍ୟା . ଘାଟ ନିଲାମ ନେଉଥିବା ବ୍ୟକ୍ତି ଗାଇଡ଼ ଲାଇନ କୁ ନମାନି ମନ ଇଛା ବାଲି ଖନନ କରୁଥିବାରୁ ନଦୀବନ୍ଧ କ୍ରମଶଃ ଦୁର୍ବଳ ହେଉଛି . ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ ଓ ସ୍ଥାନୀୟ ବାସିନ୍ଦା . ବେଆଇନ ବାଲି ଖନନ, ଅବାଧ ବାଲି ଚାଲାଣକୁ ରୋକିବା ଦିଗରେ ବାରଙ୍ଗ ତହସିଲ କର୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି .

ବିଗତ ଦିନରେ କଟକ ଜିଲ୍ଲାର ବିଭିନ୍ନ ମହାନଦୀ ଘାଟର ବାଲି ମାଫିଆ ଓ ରାଜନୀତିକ ଲିଙ୍କ ସାମ୍ନାକୁ ଆସିଥିଲା . ଏପରିକି ବହୁ ଚର୍ଚ୍ଚିତ ଡି-ବ୍ରଦର୍ସ ଘଟଣାରେ ବାଲି ମାଫିଆ ଲିଙ୍କ ନେଇ ଖୋଳତାଡ଼ ଆରମ୍ଭ କରିଥିଲା କମିସନରେଟ ପୋଲିସ . ମହାନଦୀର ନୂତନ ସେତୁ ଖୋଲିବା ପରେ ସାଧାରଣ ଲୋକଙ୍କ ଗମନାଗମନ ସୁଗମ ହୋଇଛି ସତ , କିନ୍ତୁ ଏହି ସେତୁ ଅଘୋଷିତ ଭାବେ ପାଲଟି ଯାଇଛି ଚୋରା ଚାଲାଣକାରୀଙ୍କ ସେଫ କରିଡର . ପ୍ରଦୂଷଣ ଓ କୋଳାହଳକୁ କମାଇବା , ଚୋରା ଚାଲାଣ ଉପରେ ରୋକ, ଦୁର୍ଘଟଣାକୁ ରୋକିବା ପାଇଁ ଅବାଧ ଭାରୀଯାନ ଚଳାଚଳ ଉପରେ କଟକଣା , ସର୍ବୋପରି ମହାନଦୀ ବନ୍ଧ ସୁରକ୍ଷା ପାଇଁ ବାରଙ୍ଗ ତହସିଲ କର୍ତୃପକ୍ଷ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର .

Leave a Reply

Your email address will not be published. Required fields are marked *