ଆସନ୍ତା ୧୨ ତାରିଖ ଠାରୁ ଢେଙ୍କାନାଳ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ : କୋଭିଡ କଟକଣା କଡାକଡି !!

0
174

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଥିଲା । ସମ୍ପ୍ରତି ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ କୋଭିଡ କଟକଣା ମଧ୍ୟରେ ଆସନ୍ତା ୧୨ ତାରିଖ ଠାରୁ ସବୁ ଧର୍ମାନୁଷ୍ଠାନ ଗୁଡିକ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ନିମନ୍ତେ ଖୋଲାଯିବ । ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟସ୍ଥ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ଥିବା ଚର୍ଚ୍ଚ ଏବଂ ମସଜିଦ ଗୁଡିକରେ ଏକ କାଳୀନ ସର୍ବାଧିକ ୨୦ ଜଣ ବ୍ୟକ୍ତି ପ୍ରାର୍ଥନା କରିପାରିବେ । ଜିଲ୍ଲାରେ ମନ୍ଦିର ଗୁଡିକ ସକାଳ ୭ ଟା ରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି । ଚର୍ଚ୍ଚ , ମସଜିଦ , ମନ୍ଦିର ଆଦି ସମସ୍ତ ଧର୍ମାନୁଷ୍ଠାନକୁ ଯିବା ପୂର୍ବରୁ ମାସ୍କ ପରିଧାନ ଓ ହାତକୁ ବିଶୋଧନ କରିବା ସହିତ ସାମାଜିକ ଦୂରତା ରକ୍ଷା ଏବଂ କୋଭିଡ଼ ନିୟମ ନିଶ୍ଚିତ ଅନୁପାଳନ କରିବାକୁ ସମସ୍ତ ଶ୍ରଦ୍ଧାଳୁ ଏବଂ ପରିଚାଳନା କମିଟିକୁ ପରାମର୍ଶ ଦିଆଯାଇଛି । ଶିବ ମନ୍ଦିର ଗୁଡିକରେ ଯେପରି ଅଧୁକ ଗହଳି ନ ହୁଏ , ସେଥିପ୍ରତି ଦୃଷ୍ଟି ରଖି ଚଳିତ ଅଗଷ୍ଟ ମାସର ସବୁ ରବିବାର ଓ ସୋମବାର ଦିନ ଜିଲ୍ଲାର ସମସ୍ତ ଶିବମନ୍ଦିର ବନ୍ଦ ରଖାଯିବ । କୌଣସି ମନ୍ଦିର କୁ ଶ୍ରଦ୍ଧାଳୁ ମାନେ ପୂଜା ସାମଗ୍ରୀ ଆଦି ନେଇ ପାରିବେ ନାହିଁ । ସଂକ୍ରମଣ ଆଶଙ୍କା ଯୋଗୁଁ ୧୦ବର୍ଷରୁ କମ ବୟସ୍କ ଶିଶୁ , ୬୫ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ଓ ଗର୍ଭବତୀ ମହିଳା ଧର୍ମାନୁଷ୍ଠା ଗୁଡିକୁ ନ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିଦେଇ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲାଯାଇଛି । ଅସାବଧାନ ହୋଇ କୋଭିଡ କଟକଣା ନ ମାନିଲେ କରୋନା ସଂକ୍ରମଣ ବୃଦ୍ଧିର ଆଶଙ୍କା ଥିବାରୁ ଧର୍ମାନୁଷ୍ଠାନ ଗୁଡିକରେ ବିଶୋଧନ , ସାମାଜିକ ଦୂରତା ରକ୍ଷା ଓ ମାସ୍କ ପରିଧାନକୁ ବିଶେଷ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ , ତଥା ନିର୍ବାହୀ ଅଧିକାରୀ ଦେବୋତ୍ତର ବିଭାଗ ସାଫଲ୍ୟ ମଣ୍ଡିତ ପ୍ରଧାନ , ସଦର ଉପଜିଲ୍ଲାପାଳ ରବି ନାରାୟଣ ତ୍ରିପାଠୀ , କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ , ହିନ୍ଦୋଳ ଉପଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ , ଦେବୋତ୍ତର ଉପଦେଷ୍ଟା କମିଟିର ସଦସ୍ୟ ଏବଂ ବିଭିନ୍ନ ଧର୍ମାନୁଷ୍ଠାନର ମୁଖ୍ୟ ଓ ପୂଜକ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here