କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଟ୍ୟାଙ୍କର ଡ୍ରାଇଭରଙ୍କୁ ମାଡ଼ ମାରି ତେଲ ଲୁଟ : ମାର୍ଶାଘାଇ ଥାନାରେ ୫ ଅଟକ । ତେଲ ଟ୍ୟାଙ୍କର ଅପହରଣ କରି ଦୁର୍ବୃତ୍ତ ମାନେ ବିପୁଳ ପରିମାଣର ତେଲ ଲୁଟିନେବା ଘଟଣାରେ ମାର୍ଶାଘାଇ ପୁଲିସ ଛାନଭିନ୍ ଚଳାଇଛି । ଘଟଣାରେ ୫ ଜଣଙ୍କୁ ପୁଲିସ ଅଟକ ରଖିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଚୋରା ତେଲ ଜବତ କରିଛି । ତେବେ ତଦନ୍ତରେ ଅସୁବିଧା ହେବା କହି ପୁଲିସ ତଥ୍ୟ ଦେବାକୁ ମନା କରିଥିବା ବେଳେ ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରତିକ୍ରିୟା ରଖିଛି ପୋଲିସ । ଅଭିଯୋଗ ମୁତାବକ , ଗତ ୧୪ ତାରିଖ ରାତିରେ ୫ ନମ୍ବର ଜାତୀୟ ରାଜପଥର ହଳଦିଆଗଡ଼ା ନିକଟରେ ପାରାଦୀପରୁ ଆସୁଥିବା ଏକ ତେଲ ବୋଝେଇ ଟ୍ୟାଙ୍କକୁ ଅଟକାଇ ୫ ଜଣ ଦୁର୍ବୃତ୍ତ ଗାଡ଼ି ଚାଳକଙ୍କୁ ମାଡ଼ ମାରିଥିଲେ ଓ ଗଡ଼ା ନିକଟରେ ଏକ ଘରେ ବାନ୍ଧି ପକାଇ ଟ୍ୟାଙ୍କରରେ ଥିବା ପ୍ରାୟ ୯ହଜାର ଲିଟର ତେଲ ଲୁଟି ନେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଗାଡ଼ି ଚାଳକଙ୍କୁ ଉଦ୍ଧାର କରି ପଚରା ଉଚରା କରିବା ପରେ ଘଟଣାରେ ସଂପୃକ୍ତ ଜଣକୁ ଉଠାଇ ଆଣିଥିଲା । ନୂଆପଡ଼ା ଓ ପଦ୍ମପୁର ଅଞ୍ଚଳରୁ ବିପୁଳ ପରିମାଣର ତେଲଭରା ବ୍ୟାରେଲ୍ ପୁଲିସ ଜବତ କରିଥିବା ଜଣାଯାଇଛି । ଅନ୍ୟ ପକ୍ଷରେ ମାର୍ଶାଘାଇ ଅଞ୍ଚଳରୁ ମଧ୍ୟ ବିପୁଳ ପରିମାଣରେ ତେଲ ଜବତ କରିବା ସହ ଆଗାମୀ ଦିନରେ ଏହା ଜାରି ରହିବ ବୋଲି ସୂଚନା ଦେଇଛି ପୋଲିସ ।