ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ବାଙ୍କୀର ଆରଧ୍ୟ ଦେବୀ ମା’ଚର୍ଚ୍ଚିକାଙ୍କ କୁମାରୀ ବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଦୁର୍ଲଭ ବେଶ ଦେଖିବାକୁ ଅସଂଖ୍ୟ ଭକ୍ତଙ୍କ ଭିଡ ଲାଗି ରହେ । କିନ୍ତୁ କୋଭିଡ କଟକଣା ନିୟମ ପାଳନ କରାଯାଇ ସେବାୟତ ମାନେ ବିଧି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଓ ବେଶ କରୁଛନ୍ତି । ଭୋର ୪.୩୦ମିନିଟରେ ମନ୍ଦିର ପହଡ଼ ଖୋଲିବା ପରେ ଦୈନିକ ନୀତିକାନ୍ତି କରାଯାଇ ସକାଳ ବେଶ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । କୁମାର ପୂର୍ଣ୍ଣିମାରେ ଦେବୀଙ୍କ ବିଶେଷ କୁମାରୀ ବେଶ ଅପରାହ୍ନରେ ମାଜଣା ପରେ କରାଯାଇଥିଲା । ଦେବୀଙ୍କୁ ଏହି ବେଶରେ କେତକି ଫୁଲ ଅର୍ପଣ କରାଯାଇଥାଏ । ଏହି ବେଶରେ ରାତ୍ର ପହଡ ପର୍ଯ୍ୟନ୍ତ ମା’ରହିଥାନ୍ତି । ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ସ୍ୱର୍ଗରୁ ଦେବାଦେବୀ ଆସୁଥିବା ବହୁ କାଳରୁ ଶୁଣିବାକୁ ମିଳୁଛି ବୋଲି ସେବାୟତ ମାନେ ପ୍ରକାଶ କରିଛନ୍ତି । ମା’ଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ସମସ୍ତ ପାପ ନାଶ ହୋଇଥାଏ ବୋଲି ବିଶ୍ୱାସ ରହିଛି । କରୋନା ସମୟରେ ମା’ଙ୍କୁ ଦୁର୍ଲଭ ବେଶ ସର୍ବସାଧାରଣ ଦର୍ଶନ କରିପାରୁନଥିବାରୁ ସେବାୟତ ତଥା ସାମ୍ବାଦିକ ଅଶୋକ ରଣା ଓ ଅନନ୍ତ ରଣା ସୋସିଆଲ୍ ମିଡିଆ ରେ ପୋଷ୍ଟ କରି ଜନସାଧାରଣଙ୍କ ପାଖରେ ପ୍ରସାର ଓ ପ୍ରଚାର କରୁଛନ୍ତି । ଆଜିର ଏହି ପୂଜା ମା’ଙ୍କ ଦୁର୍ଲଭ ଦର୍ଶନ ବେଶକୁ ମନ୍ଦିର ଟ୍ରଷ୍ଟି କାଳନ୍ଦୀ ଚରଣ ମହାପାତ୍ର , ପରିଚାଳନା କମିଟି ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର, ଉପସଭାପତି ସନ୍ତୋଷ କୁମାର ରଣା, ସଂପାଦକ ନୀଳମଣି ମହାପାତ୍ର ପ୍ରମୁଖ କୋଭିଡ କଟକଣା ଅନୁଯାୟୀ କିପରି ମା’ଙ୍କ ଏହି ଦୁର୍ଲଭ ବେଶ ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦେଇଥିଲେ ।