ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ତିତିଲି ବାତ୍ୟାରେ ରାୟଗଡ ବ୍ଳକର ଗଙ୍ଗା ବାଡ଼ ପଞ୍ଚାୟତର ବାରଘର ଗ୍ରାମ ଅଧିକା କ୍ଷତିଗ୍ରସ୍ତ ହୋଇଥିଲା ଏପରି କି ବାତ୍ୟା ଓ ବର୍ଷା ରୁ ନିଜକୁ ରକ୍ଷା କରିବାକୁ ଯାଇ 16 ଲୋକଙ୍କର ପ୍ରାଣ ହାନି ଘଟିଥିଲା । ଏହାପରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ମିଳିତ ଭାବେ ସେମାନଙ୍କର ଆଶ୍ରୟ ସ୍ଥଳ, ଜୀବିକା ଏବଂ ଶିକ୍ଷାର ଉନ୍ନତି ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି । ସମସ୍ତ ପରିବାର ପାଇଁ ନୂଆ ବାରଘରରେ ଜାଗା ଦେବା ସହ ସମସ୍ତଙ୍କ ପାଇଁ ବିଜୁ ପକ୍କାଘର ଯୋଜନାରେ ଘର କରି ଦିଆଯାଇଛି । ଆଇ.ଏ.ପି ରୁ 10 ଲକ୍ଷ ଟଙ୍କା ବ୍ୟୟରେ ଏକ ପୋଖରୀ ନିର୍ମାଣ କାର୍ଯ୍ୟ ସରିଛି ।

ଲୋକଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା ପାଇଁ ସୌର ଶକ୍ତି ମାଧ୍ୟମରେ ପାଇପ ଯୋଗେ ଜଳ ଯୋଗାଣ କାର୍ଯ୍ୟକ୍ରମ କାର୍ଯ୍ୟ କରୁଥିଲା ବେଳେ ଦୁଇ ଗୋଟି ନଳ କୂପ ଖନନ କରାଯାଇଛି । ପ୍ରତ୍ୟେକ ଘରକୁ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ଅଧିନରେ ମାଗଣାରେ ବିଦ୍ୟୁତ ଯୋଗାଣ କାର୍ଯ୍ୟ ସରିଛି । ଓଡ଼ିଶା ଜୀବିକା ମିଶନ ତରଫରୁ ଝାଡୁ ଉତ୍ପାଦନ କରୁଥିବା ତିନି ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ ପ୍ରଡ୍ୟୁସର ଗ୍ରୁପ ତିଆରି କରାଯାଇଛି । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ 2021- 22 ଆର୍ଥିକ ବର୍ଷରେ 1487 କର୍ମ ନିଯୁକ୍ତି ସୃଷ୍ଟି କରାଯାଇ ଥିବା ବେଳେ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଜୀବିକା ଉତ୍ପାଦନ କରି ପାରୁଥିବା ଯୋଜନା ହାତକୁ ନିଆଯାଇଛି ।

ଉଦ୍ୟାନ ବିଭାଗ ତରଫରୁ ଫଳ ଚାରା ରୋପଣ କରାଯାଇଛି । ଯୋଗାଯୋଗ ପାଇଁ ମିଶନ ଶକ୍ତି ତରଫରୁ 10 ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୋବାଇଲ ବଣ୍ଟନ କରାଯାଇଛି । ଅଙ୍ଗନବାଡି ନିଜସ୍ଵ ଗୃହ କାର୍ଯ୍ୟ ଚାଲୁ ରହିଛି । ଗ୍ରାମର କୋଠଘର ନିର୍ମାଣ କାର୍ଯ୍ୟ ସରିଛି । ଆଗାମୀ ଦିନରେ ଅଞ୍ଚଳର ଉନ୍ନତି ପାଇଁ 17 ଲକ୍ଷ ଟଙ୍କା ବ୍ୟୟ ରେ ପ୍ରାଥମିକ ବିଦ୍ୟାଳୟର କୋଠା ନିର୍ମାଣ , 32 ଲକ୍ଷ ଟଙ୍କା ବ୍ୟୟରେ ବାରଘର ଗ୍ରାମକୁ ଏକ ରାସ୍ତା ନିର୍ମାଣ , ଛେଳି ପାଳନ ପାଇଁ ଜୀବିକା ମିଶନ ତରଫରୁ ଏକ ଯୋଜନା ପ୍ରସ୍ତୁତ , ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଷ୍ଟେସନେରି ଦୋକାନ, ଗ୍ରୋସରି ଦୋକାନର ଆରମ୍ଭ କରିବା ପାଇଁ ଯୋଜନା ରଖାଯାଇଛି ।

