ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରାଜ୍ୟର ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେଡି ବିଧାୟକ ତଥା ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ମନ୍ତ୍ରୀ ପଦରୁ ବହିସ୍କାର ଏବଂ ହତ୍ୟାକାଣ୍ଡ ର ସିବିଆଇ ତଦନ୍ତ ଦାବିକରି ନୟାଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ କରାଯାଇଛି । ଜିଲ୍ଲା ବିଜେପି ସଭାପତି ଲାଲା ମନୋଜ ରାୟ ଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ନୟାଗଡ଼ ମୁଖ୍ୟ ଛକଠାରେ ପ୍ରତିବାଦ ସଭା କରିବା ସହିତ ଜିଲ୍ଲା ଏସପି ଅଫିସ ଘେରାଉ କରିଥିଲେ । ଘେରାଉ ସମୟରେ ବିଜେପି କର୍ମୀ ମାନେ ଏସପି ଅଫିସକୁ ଧସେଇ ପଶିବା ପାଇଁ ଉଦ୍ୟମ କରିବା ସମୟରେ ବିଜେପି ନେତା ଏବଂ କର୍ମୀମାନଙ୍କୁ ପୋଲିସ ଗିରଫ କରିଥିଲା । ନୟାଗଡ଼ ସଦର ବ୍ଲକ ଯଦୁପୁର ନାବାଳିକା ଝିଅ ପରୀ ଅପହରଣ ଏବଂ ହତ୍ୟାକାଣ୍ଡ ଘଟଣାକୁ ଚାପି ଦେବା ପାଇଁଁ ଯେପରି ଚେଷ୍ଟା ଚାଲିଛି ଠିକ ସେମିତି ମମିତା କେସକୁ ଚାପିଦେବା ଚେଷ୍ଟା ଚଳାଇଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତ୍ରୀ ଇରାନୀ ରାୟ ।

ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆସିଲେ ଏସପି ମହୋଦୟ ନିଜ ଚେୟାର ରେ ବସିବେ ନା ଛିଡ଼ା ହୋଇ ସାଲ୍ୟୁଟ କରିବେ ? ଏ ପ୍ରଶ୍ନ ପଚାରିଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ସୁରମା ପାଢ଼ୀ । ଖଣ୍ଡପଡ଼ା ପୂର୍ବତନ ବିଧାୟକ ତଥା ବିଜେପି ନେତା ସିଦ୍ଧାର୍ଥ ଶେଖର ସିଂ ନିରପେକ୍ଷ ତଦନ୍ତ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିଥିଲେ । ବିଜୁ ଜନତା ଦଳର ହାତ ବାରିସ ସାଜି ଜନସାଧାରଣ ଙ୍କ କଣ୍ଠରୋଧ କରିବାପାଇଁ ଚେଷ୍ଟା ନକରିବା ନିମନ୍ତେ ପ୍ରଶାସନ କୁ ଚେତାବନୀ ଦେଇଥିଲେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ । ମମିତା କୁ ନ୍ୟାୟ , ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ବହିଷ୍କାର ଏବଂ ହତ୍ୟାକାଣ୍ଡ ର ସିବିଆଇ ତଦନ୍ତ ଦାବି କରି ଜିଲ୍ଲାର ବହୁ ବିଜେପି ନେତା ଏବଂ ଶତାଧିକ କର୍ମି ପ୍ରତିବାଦ ସଭାରେ ଯୋଗ ଦେଇଥିଲେ।

