ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ଅନୁଗୁଳ ଗସ୍ତ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରବିବାର ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିବା ସହ ଏହାର କ୍ଷେତ୍ର ସ୍ତରୀୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସହରର ହୁଲୁରୁସିଙ୍ଗାଠାରେ ନିର୍ମାଣ ହେଉଥିବା ବିଶ୍ୱ ସ୍ତରୀୟ ପାଠାଗାର ସହ ସମ୍ମିଳନୀ କକ୍ଷ ଓ ଅତ୍ୟାଧୁନିକ ସଂଗ୍ରହାଳୟର ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ । ଏଥିରେ ବିଦ୍ୟୁତ୍ ସଂଯୋଗ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକୁ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାର୍ଶ୍ଵରେ ନିର୍ମାଣ ହେଉଥିବା ଟ୍ରମା କେୟାର ସେଣ୍ଟରକୁ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ସାରିବାକୁ କହିଥିଲେ । ଏଥି ପୂର୍ବରୁ ସେ ବାରଗୌଉଣିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡୁରୁଶୁଣି ଗ୍ରାମୀଣ ପର୍ଯ୍ୟଟନ ପାର୍କକୁ ବୁଲି ଦେଖିଥିଲେ । ଶଂଖପୁରୁ ଗ୍ରାମ ପଞ୍ଚାୟତକୁ ପରିଦର୍ଶନରେ ଯାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଛତୁଆ ପ୍ରସ୍ତୁତି ୟୁନିଟ୍‌ ବୁଲିଥିଲେ । ମୁଖ୍ୟ ଶାସନ ସଚିବ ସହରର ହେଲଥ କରିଡର, ନାଲକୋର ଆଲୁମିନିୟମ ପାର୍କ, ଖଲାରି ଉଚ୍ଚ ବିଦ୍ୟାଳୟର ରୁପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଉପସ୍ଥିତ ରହି ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ କୁମାର ସାହୁ, ଅନୁଗୁଳ ଉପ-ଜିଲ୍ଲାପାଳ ବାସୁଦେବ ଶତପଥି, ଡେପୁଟୀ କଲେକ୍ଟର ବଇତୁରା ଦିପ୍, ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *