ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ଦେଖି ଚାଷୀ ବର୍ତ୍ତମାନ ଚିନ୍ତାରେ ଅଛି । ସେଥିପାଇଁ ଧାନ ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚାଷୀ ମାନେ ବ୍ୟସ୍ତ ଅଛନ୍ତି । ହେଲେ ଚାଷ ଜମିକୁ ଯାଇଥିବା ଜଣେ ଚାଷୀର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବର୍ଷା ପୂର୍ବରୁ ଧାନ ଫସଲକୁ ସୁରକ୍ଷିତ ରଖିବା ପାଇଁ ଟାଙ୍ଗୀ ଥାନା ଉଦୟ ଗିରି ଗ୍ରାମର ଧ୍ୱଜ ପାତ୍ର (୬୫) ନିଜ ଜମିକୁ ଯାଇଥିଲେ । ବର୍ଷା ଓ ହାତୀ ଉପଦ୍ରବ ଭୟରେ ଟାଙ୍ଗୀ ବ୍ଲକର ଉଦୟଗିରି ଗାଁର ଚାଷୀ ମାନେ ଅଧା ପାଚିଲା ଧାନ ଫସଲକୁ ଅମଳ କରିବାକୁ ବ୍ୟଗ୍ର ହୋଇ ପଡିଛନ୍ତି । ଆଜି କେତେ ଜଣ ଚାଷୀ ନିଜ ଚାଷ ଜମିରୁ ଧାନ ଅମଳ କରି ନିଜ ଘରକୁ ଆଣୁଥିଲେ । ସେହିଭଳି ଧ୍ୱଜ ପାତ୍ର ନିଜ ଚାଷ ଜମିରେ ଧାନ କାଟି ଟ୍ରାକ୍ଟରରେ ଫସଲକୁ ଖଳା ବାଡିକୁ ଆଣିବା ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ ଏକ ୧୯ ଟିକିଆ ହାତୀ ପଲ ତାଙ୍କ ଚାଷ ଜମି ଦେଇ ଯାଉଥିଲେ । ସେହି ହାତୀ ପଲ ମଧ୍ୟରୁ ଏକ ଦନ୍ତା ହାତୀ ବାହାରି ଆସି ଚାଷୀ ଧ୍ୱଜ ପାତ୍ରଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କର ଗୋଡ ଓ ଅଣ୍ଟାରେ ଗୁରୁତର କ୍ଷତ ହୋଇଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଗାଁ ଲୋକଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଗୁରତର ଅବସ୍ଥାରେ ବୃଦ୍ଧଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଭୁବନେଶ୍ୱର ଯାଉଥିବା ବେଳେ ରାସ୍ତାରେ ଧ୍ଵଜଙ୍କର ମୃତ୍ୟୁ ହୋଇଥିବା ଟାଙ୍ଗୀ ବନ ବିଭାଗ ରେଂଜର ରବିନ୍ଦ୍ର ନାଥ ପଣ୍ଡା ପ୍ରକାଶ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାରକୁ ସରକାରୀ କ୍ଷତି ପୂରଣ ଦିଆଯିଵ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ହାତୀ ଆକ୍ରମଣରେ ଚାଷୀର ମୃତ୍ୟୁ !!!

