ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ବିଭିନ୍ନ ଅନିୟମିତତା ଓ ଦୁର୍ନୀତିକୁ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟରେ ଉନ୍ନୟନ ନିମନ୍ତେ ଆସୁଥିବା ସରକାରୀ ଅନୁଦାନର ଦୁରୁପଯୋଗ ଓ ଅନ୍ୟାନ୍ୟ ଦୁର୍ନୀତି ପରି ଗୁରୁତର ଅଭିଯୋଗ ଗୁଡିକ ସମ୍ପର୍କରେ ଖବର ଏକାଧିକ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହାକୁ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନେ ଗୁରୁତର ସହ ନେଇଛନ୍ତି । ଉକ୍ତ ଖବର ସେମାନଙ୍କୁ ବ୍ୟଥିତ କରିଥିବାର ଜଣାପଡ଼ିଛି । ଗୋଦାବରୀଶ ମହାବିଦ୍ୟାଳୟ ସମଗ୍ର ରାଜ୍ୟରେ ଏକ ସୁନାମଧନ୍ୟ ମହାବିଦ୍ୟାଳୟ ହୋଇଥିବା ବେଳେ ମହାବିଦ୍ୟାଳୟରେ ହୋଇଥିବା ବିଭିନ୍ନ ଅନିୟମିତତାର ଅଭିଯୋଗ ଉପରେ ପୁରାତନ ଛାତ୍ରଛାତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ଆଜି ପୁରାତନ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଗୌରବ ଶିବାଜୀ ଈଶାଲୱରଙ୍କୁ ଭେଟିଛନ୍ତି । ଅଭିଯୋଗ ଗୁଡିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଉପଜିଲ୍ଲାପାଳ ଏହାକୁ ଗୁରୁତର ସହ ନେଇଛନ୍ତି ଏବଂ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ପ୍ରତିଶୃତି ଦେଇଥିବାର ପୁରାତନ ଛାତ୍ରମାନେ କହିଛନ୍ତି । ଅନୁରୂପ ଭାବେ ଉକ୍ତ ପ୍ରତିନିଧି ଦଳ ଆଜି ଖୋର୍ଦ୍ଧା ଜିଲ୍ଲାପାଳ, ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଏବଂ ମୁଖ୍ୟ ସଚିବଙ୍କୁ ମଧ୍ୟ ଉକ୍ତ ଦାବିପତ୍ରର ନକଲ ପ୍ରଦାନ କରିଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *