ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀ ନିର୍ମାଣ ପାଇଁ ଖୋର୍ଦ୍ଧା ମାଟିରେ ଶିଳାନ୍ୟାସ କରିଥିଲେ । ଆଜିକୁ ଠିକ ଦୁଇ ବର୍ଷ ପୂରଣ ହୋଇଯାଇଛି . ଖୋର୍ଦ୍ଧା ବରୁଣେଇ ପାଦ ଦେଶରେ ଦୁଇ ବର୍ଷ ପରେ ସମସ୍ତ ଦଳର ନେତୃ ବୃନ୍ଦ ଏକାଠି ହୋଇ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ଵାଧୀନ ସଂଗ୍ରାମ ପାଇଁ ସ୍ୱର ଉଠାଇ ମାନ୍ୟତା ଦେବା ଦାବିରେ ସ୍ୱର ଉତ୍ତୋଳନ କରିଛନ୍ତି । ହାତରେ ଖଣ୍ଡା, ଠେଙ୍ଗା, ଢାଲ, ମୁହଁରେ ବୀରତ୍ୱର ଭାଷା ଢୋଲର ତାଳେ ତାଳେ ନାଚି ଉଠୁଛି ପାଇକ ନୃତ୍ୟ , ମନେ ପକାଉଛନ୍ତି ପୂର୍ବ ପୁରୁଷଙ୍କ ସଂଗ୍ରାମ । ଏହି ବରୁଣେଇ ପୀଠରୁ ଦେଶ ମାତୃକାକୁ ରକ୍ଷା କରିବା ପାଇଁ ପ୍ରଥମେ ପାଇକ ପୁଅ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବୀରମାନେ ଏକତ୍ରିତ ହୋଇ ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ୱାଧୀନତା ସଂଗ୍ରାମର ରଣ ହୁଙ୍କାର ଦେଇଥିଲେ ।

ଏହାକୁ ଚିର ସ୍ମରଣୀୟ କରିବା ପାଇଁ ଦେଶର ମହାମହିମ ରାଷ୍ଟ୍ରପତି ରାମନାଥ କୋବିଦ ୨୦୧୯ ମସିହା ଡିସେମ୍ବର ୮ ତାରିଖରେ ପାଇକ ସ୍ମାରକୀ ପାଇଁ ଶିଳାନ୍ୟାସ କରିଥିଲେ । ସେହି ସ୍ମାରକୀ ଶିଳାନ୍ୟାସର ଦୁଇ ବର୍ଷ ପୁର୍ତ୍ତି ପାଳିତ ହେଉଛି । ପାଇକ ବେଶରେ ସଜ୍ଜିତ ହୋଇ ଛୋଟ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ବୀର ବେଶରେ ବଳକା ବାଳିକା ମାନେ ବୀର ବାଦ୍ୟ ରେ ତାଳେ ତାଳେ ପାଇକ ସମର କଳା ପ୍ରଦର୍ଶନ କରି ଚାଲିଛନ୍ତି । ସମସ୍ତିଙ୍କ ମୁଁହରେ ଗୋଟିଏ କଥା ୧୮୧୭ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ମିଳୁ । ଏ ନେଇ ଆୟୋଜିତ ଉତ୍ସବରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ , ଜଟଣୀ ବିଧାୟକ ସୁରେଶ ରାଉତରାୟ , ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର , ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ , ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ସମେତ ବହୁ ବୁଦ୍ଧିଜୀବି , ଐତିହାସିକ, ପାଇକ ଗୁରୁ, ଶିକ୍ଷାବିତ ପ୍ରମୁଖ ଯୋଗ ଦେଇଥିଲେ |

