ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଗତ ପନ୍ଦର ଦିନ ମଧ୍ୟରେ ବିଶ୍ଵ ପ୍ରସିଦ୍ଧ ଚିଲିକା ହ୍ରଦରୁ ପକ୍ଷୀ ଶିକାର କରି ଏକାଧିକ ଶିକାରୀ ଗିରଫ ହୋଇଛନ୍ତି । ତଥାପି କମୁନି ପକ୍ଷୀଶିକାର । ଆଜି ପୁଣି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ତ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ହାତରେ ଦୁଇ ଜଣ ଶୀକାରୀ ଧରାପଡ଼ି ଗିରଫ ହୋଇଛନ୍ତି । ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଭୂଷଣ୍ଡପୁର ଚିଲିକାର ୧୩ ନମ୍ବର କୁଦ ନିକଟରୁ ଦୁଇ ଜଣ ପକ୍ଷୀ ଶୀକାରୀଙ୍କୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ଶିକାରୀଙ୍କ ନିକଟରୁ ବନ୍ୟପ୍ରାଣୀ ବିଭାଗ ସାତ ଗୋଟି ମୃତ ପକ୍ଷୀ ଜବତ କରିଛି । ଗିରଫ ଶୀକାରୀ ଦ୍ୱୟ ହେଲେ ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଅନ୍ତର୍ଗତ ଜାଗୁଳେଇପଦର ଗ୍ରାମର ଦୁଷ୍ମନ୍ତ ବେହେରା (୩୫) ଏବଂ ସୁରେନ୍ଦ୍ର ବେହେରା (୪୬) । ଗିରଫ ଶୀକାରିଙ୍କ ବିରୋଧରେ ପିଆର ନମ୍ବର ୧୨ଟି/୨୧-୨୨ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଟାଙ୍ଗୀ ରେଞ୍ଜ ବନାଞ୍ଚଳ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି ।

ଗୋଟେ ପଟେ ବନ୍ୟପ୍ରାଣୀ ବିଭାଗ ପ୍ରତିଦିନ ପକ୍ଷୀ ଶିକାରୀଙ୍କୁ ଗିରଫ କରି ବାହା ବାହା ସାଉଣ୍ଟୁଥିବା ବେଳେ ଅନ୍ୟ ପକ୍ଷରେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପ୍ରକୃତିପ୍ରେମୀ । ଚିଲିକାରେ ପାଟ୍ରୋଲିଂକୁ ଆହୁରି ବଢେଇବା ସହ ଏ ଦିଗରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉ ବୋଲି ପ୍ରକୃତିପ୍ରେମୀ ମତ ରଖିଛନ୍ତି । ପକ୍ଷୀ ଶିକାରକୁ ରୋକିବା ପାଇଁ କଣ କଣ ପଦକ୍ଷେପ ନିଆଯାଇଛି ବୋଲି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରିଣୀ ଆଇଏଫଏସ ଜ୍ୟୋତି କୋଟାଲଙ୍କୁ ଆମ ପ୍ରତିନିଧି ପଚାରିବାରୁ, ଚିଲିକାରେ ପାଟ୍ରୋଲିଙ୍ଗ ବଢିଥିବାର ସେ କହିଛନ୍ତି । ତତ ସହିତ ଆରପିଏଫ ର ଯବାନ ମାନେ ମଧ୍ୟ ପାଟ୍ରୋଲିଂ କରୁଛନ୍ତି । ବିଶେଷକରି ଟାଙ୍ଗୀ ରେଞ୍ଜରେ ବ୍ୟାପକ ବନ୍ୟପ୍ରାଣୀ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ସେହିଭଳି ପକ୍ଷୀ ସୁରକ୍ଷା କ୍ୟାମ୍ପର କର୍ମଚାରୀ ମାନେ ମଧ୍ୟ ପାଟ୍ରୋଲିଂରେ ସହଯୋଗ କରୁଛନ୍ତି । ପାଟ୍ରୋଲିଂ ପାଇଁ ବୋଟ ମଧ୍ୟ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବାର ଡ଼ିଏଫଓ କହିଛନ୍ତି । ତେବେ ଆଗକୁ ଆହୁରି କଡ଼ାକଡି ପାଟ୍ରୋଲିଂ ଏବଂ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଡ଼ିଏଫଓ ସୁଶ୍ରୀ କୋଟାଲ କହିଛନ୍ତି ।

