ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ସାତକୋଶିଆ ଏବଂ ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚଳିତବର୍ଷ ଚାଲିଥିବା ଦୁଇ ଦିନିଆ କୁମ୍ଭୀର ଗଣନା ଶୁକ୍ରବାର ଶେଷ ହୋଇଛି । ଗତ ଦୁଇଦିନ ଧରି ମହାନଦୀରେ ମୋବାଇଲ ଆପ ଏବଂ ବାଏନାକୁଲର ସାହାଯ୍ୟରେ ଚାଲିଥିଲା ସର୍ଭେ କାର୍ଯ୍ୟ । ଉଭୟ ପଟୁ ୧୪ ଟି ଟିମରେ ୫୮ ଜଣ କର୍ମଚାରୀ ସାମିଲ ହୋଇଥିଲେ । ମାଛ ଡଙ୍ଗା ସାହାଯ୍ୟରେ ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଟିମରେ ଥିବା କର୍ମଚାରୀ ମାନେ ମହାନଦୀରେ ବୁଲି ବୁଲି ବାଲିରେ ଶୋଇଥିବା ବିଭିନ୍ନ ପ୍ରଜାତିର କୁମ୍ଭୀର ଗଣନା କରିଥିଲେ । ଏହା ସହିତ ବାଲି ଉପରେ କୁମ୍ଭୀର ର ପାଦଚିହ୍ନକୁ ମୋବାଇଲ ଆପ ସାହାଯ୍ୟରେ ଚିହ୍ନଟ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଥିଲା । ମହାନଦୀ ର ମାରଡା ଠାରୁ କୁତୁରୀ, ମାରଡା ଠାରୁ ଶୀତଳପାଣି, ଶୀତଳପାଣି ଠାରୁ ହରଭଙ୍ଗା ଏବଂ ହରଭଙ୍ଗା ଠାରୁ ଅଏଡା ପର୍ଯ୍ୟନ୍ତ କୁମ୍ଭୀର ଗଣନା ହୋଇଥିଲା । ଗଣନା କାର୍ଯ୍ୟର ଚୂଡାନ୍ତ ରିପୋର୍ଟ ଆସିବା ପରେ ସାତକୋଶିଆ ମହାନଦୀ ଗଣ୍ଡରେ କେଉଁ ପ୍ରଜାତିର କେତେ କୁମ୍ଭୀର ରହିଛନ୍ତି ସେ ସଂର୍ପକରେ ସୂଚନା ମିଳିବ ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସାତକୋଶିଆ ଏବଂ ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଦୁଇ ଦିନିଆ କୁମ୍ଭୀର ଗଣନା ଶେଷ !!!

