ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ସରକାର ଜନ ସାଧାରଣଙ୍କ ନିମନ୍ତେ ଅନେକ ଜନ କଲ୍ୟାଣ ଯୋଜନା ପ୍ରଣୟନ କରିଛନ୍ତି l ତନ୍ମଧ୍ୟରୁ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ୟତମ l ଏହି ଯୋଜନାର ସୁଫଳ ଆକାରରେ ଅଭାବୀ ଲୋକେ ଦୁଇ ଓଳି ଦୁଇ ମୁଠା ଖାଇଵାକୁ ପାଇ ପାରୁଛନ୍ତି l ସେଥିପାଇଁ ରାଜ୍ୟ ସରକାର କରୋନା ମହାମାରୀ ସମୟରେ ରାଜ୍ୟବାସୀଙ୍କୁ ମାଗଣାରେ ଚାଉଳ ଦେବାକୁ ନିଷ୍ପତି ନେଇଛନ୍ତି ଏବଂ ଦେଉଛନ୍ତି ମଧ୍ୟ l ଚଳିତ ମାସରେ ରାଜ୍ୟ ସରକାର ଖାଉଟି କାର୍ଡ ଧାରୀମାନଙ୍କୁ ୪ ମାସର ଚାଉଳ ମାଗଣାରେ ଯୋଗାଇ ଦେଉଛନ୍ତି l ହେଲେ ମାଗଣା ଚାଉଳର ଫାଇଦା ଗରୀବ ଜନ ସାଧାରଣ ନେବା ପରିବର୍ତ୍ତେ କେତେକ ଅଞ୍ଚଳରେ ଖାଦ୍ୟ ଯୋଗାଣରେ ସମ୍ପୃକ୍ତ ରହୁଥିବା ବ୍ୟକ୍ତିମାନେ ତାହାର ଫାଇଦା ଉଠାଇବାକୁ ପଛାଉ ନାହାନ୍ତି l ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ମାନସିଂହପୁର ପଞ୍ଚାୟତର ବରୁଣପଡା ଗ୍ରାମରେ l ସୂଚନା ମୁତାବକ ବରୁଣପଡା ଗ୍ରାମରେ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ଚାଉଳ ବାଣ୍ଟିବା ପାଇଁ ପଞ୍ଚାୟତ ପକ୍ଷରୁ ଗତକାଲି ପ୍ରଚାର କରାଯାଇଥିଲା l ବରୁଣପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଉଳ ବଣ୍ଟନ କରିବା ପାଇଁ ଘୋଷଣା କରାଯାଇଥିଵାରୁ ଲୋକେ ଧାଡି ଲଗାଇଥିଲେ ଚାଉଳ ନେବା ପାଇଁ l ଯୋଗାଣ ସହାୟକ ବି ଚାଉଳ ବାଣ୍ଟିବା ଆରମ୍ଭ କରିଥିଲେ l ତେବେ ଦେଖାଯାଇଥିଲା କି ପ୍ରଥମେ ଚାଉଳ ଅଖାରେ ପୋକରା ପୋକ ସାଲୁ ବାଲୁ ଚାଉଳ ଢାଳି ତା ଉପରେ ଭଲ ଚାଉଳ ଢାଳି ଅଖାକୁ ବାନ୍ଧି ହିତାଧିକାରୀଙ୍କୁ ଦିଆଯାଉଥିଲା l ତେବେ ସେହି ଗ୍ରାମର ଜଣେ କାର୍ଡଧାରୀ ନିଜ ଅଖା ଖୋଲିବାରୁ ସେହି ଚାଉଳରେ ପୋକ ସାଲୁ ବାଲୁ ହେଉଥିବା ଦେଖି ଘଟଣା ସ୍ଥଳରେ ଅଭିଯୋଗ କଲେ l କିନ୍ତୁ ଯୋଗାଣ ସହାୟକ ତାଙ୍କ ସରକାରୀ ବାବୁ ଠାଣି ଦେଖାଇ ଯୁକ୍ତିତର୍କ କରିବାରୁ ପଛାଇ ନଥିଲେ l ହୋ ହାଲା ସହ ପ୍ରବଳ ଯୁକ୍ତିତର୍କ ହେବାରୁ ପରିଶେଷରେ ଯୋଗାଣ ସହାୟକ ପୁନର୍ବାର ସେହି ଚାଉଳଗୁଡ଼ିକୁ ବଦଳାଇବାକୁ ବାଧ୍ୟ୍ୟ ହୋଇଥିଲେ l ଏ ନେଇ ଯୋଗାଣ ସହାୟକ ସୁକାନ୍ତ ବେହେରାଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ବ୍ଲକ ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କାଙ୍କୁ ପଚାରିବାରୁ ସେ କହିଥିଲେ ଜାନୁଆରୀ କୋଟାର ଚାଉଳ ବହୁ ମାସ ଆଗରୁ ଆସି ଯାଇଥିଲା ଏବଂ ପଞ୍ଚାୟତର ନିଜସ୍ୱ ଗୋଦାମ ଗୃହ ନାହିଁ . ତେଣୁ ବେସରକାରୀ ଗୋଦାମରେ ଚାଉଳ ସବୁ ରହୁଥିବାରୁ କେତେକ ଚାଉଳରେ ପୋକ ଲାଗିଯାଇଥିବ l ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ଶୀଘ୍ର ଚାଉଳ କିପରି ନଷ୍ଟ ହେବ? ଯୋଗାଣ ସହାୟକ ଜାଣିଶୁଣି ହିତାଧିକାରୀଙ୍କୁ କିପରି ପୋକରା ଚାଉଳ ଦେଲେ ? ଯୋଗାଣ ବିଭାଗ ପକ୍ଷରୁ କଣ ପାଇଁ ଚାଉଳର ମାନ ଯାଞ୍ଚ କରାଗଲାନି ? ନା ଭଲ ସରକାରୀ ଚାଉଳ ରଖି ତାହା ବଦଳରେ ଜାଣିଶୁଣି ପୋକରା ଚାଉଳ ହିତାଧିକାରୀଙ୍କୁ ଦିଆଯାଇଛି ? ଏତେ ବଡ଼ ଅଘଟଣ ଯୋଗାଣ ଅଧିକାରୀ ଥାଉଥାଉ କିପରି ଘଟୁଛି ପଞ୍ଚାୟତରେ? ଗୋଟାଏ ପଟେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଅନ୍ୟପକ୍ଷରେ ଏପରି ଯୋଗାଣ ସହାୟକଙ୍କ ପରି କେତେକ ସରକାରୀ କର୍ମଚାରୀଙ୍କ ଲାଗି ରାଜ୍ୟ ସରକାର ବଦନାମ ହେଉଛନ୍ତି l ତେବେ ଜିଲ୍ଲା ଯୋଗାଣ ଅଧିକାରୀ, ଚିଲିକା ବିଡ଼ିଓ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି l
ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମିଳୁଛି ପୋକରା ଚାଉଳ !!!

