ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏନଏସି ର ସଫେଇ କର୍ମଚାରୀ ମାନେ ଆନ୍ଦୋଳନରେ ବସିବା ସହ ବାଣପୁର ମେଡିକାଲ ରାସ୍ତାକୁ ଅବରୋଧ କରିଛନ୍ତି । ସଫେଇ କର୍ମଚାରୀଙ୍କ ଦରମାରୁ ଇପିଏଫ ପଇସା ହରିଲୁଟ ହେଉଥିବାର କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି । ସଫେଇ କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ୧୪ ମାସ ହେଲା ସେମାନଙ୍କ ମାସିକ ଦରମାରୁ ଇପିଏଫ ଏବଂ ଏସଆଇ ଅଂଶ ପାଖାପାଖି ୧୨୦୦ ଟଙ୍କା କଟା ଯାଉଥିବା ବେଳେ ତାହାର ପ୍ରମାଣ ସେମାନଙ୍କ ପାଖେ ନାହିଁ ।
ତେବେ ଆଜିକୁ ଚାରି ଦିନ ହେଲା ଇପିଏଫ ପଇସା କାଟର ରସିଦ ଏବଂ ଅନ୍ୟାନ କାଗଜପତ୍ର ଦେଖେଇବା ଦାବିରେ କର୍ମଚାରୀ ମାନେ ସଫେଇ ବନ୍ଦ ରଖିଛନ୍ତି । କିନ୍ତୁ ଆଜି ତହସିଲଦାର ଏବଂ ପୋଲିସର ଉପସ୍ଥିତିରେ ଏନଏସି ପ୍ରଶାସନ ଅନ୍ୟ ସଫେଇ କର୍ମଚାରୀଙ୍କୁ ଆଣି ସହରରେ ସଫେଇ କାର୍ଯ୍ୟ ଆରମ୍ଭ କରାଇଥିଲା । ତେବେ ଏହାକୁ ବିରୋଧ କରି ମୂଳ ସଫେଇ କର୍ମଚାରୀ ମାନେ ଉତ୍ତ୍ୟକ୍ତ ହୋଇ ବାଣପୁର ମେଡିକାଲ ରାସ୍ତାରେ ଧାରଣ ଦେବାସହ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ତହସିଲଦାର, ବାଲୁଗାଁ ଏସଡ଼ିପିଓ, ବାଣପୁର ଆଇଆଇସି, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ଉତ୍ତ୍ୟକ୍ତ ସଫେଇ କର୍ମଚାରୀଙ୍କୁ ବୁଝସୁଝା କରୁଛନ୍ତି । ଅପରପକ୍ଷେ ଏ ନେଇ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ଉକ୍ତ ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ଏବଂ ସଫେଇ କର୍ମଚାରୀଙ୍କ ମାସିକ ଇପିଏଫ ପଇସା କାଟ ର ସମସ୍ତ ପ୍ରମାଣ ସେମାନଙ୍କୁ ଦେଖାଇ ଦିଆଯାଇଛି ବୋଲି କହିଛନ୍ତି ।