ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କରୋନା ମହାମାରୀରେ ପରୀକ୍ଷା ବାତିଲ ଦାବିରେ ରାଜପଥ ଅବରୋଧ କରିଛନ୍ତି ଶତାଧିକ ଛାତ୍ରଛାତ୍ରୀ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରୁ ଏପରି ଦୃଶ୍ୟ ସାମ୍ନାକୁ ଆସିଛି । ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଶତାଧିକ ଛାତ୍ର ବାଲୁଗାଁ ଗାନ୍ଧୀ ଛକ ଅବରୋଧ କରିଛନ୍ତି । ଅଲ ଓଡିଶା ଷ୍ଟୁଡେଣ୍ଟସ ୟୁନିଅନ ବ୍ୟାନରରେ ବାଣପୁର, ବାଲୁଗାଁ ତଥା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଯୁକ୍ତ ଦୁଇ ମହାବିଦ୍ୟାଳୟରୁ ଛାତ୍ରମାନେ ଏକାଠି ହୋଇ ଗାନ୍ଧୀଛକରେ ବିକ୍ଷୋଭ ଜାରି ରଖିଛନ୍ତି ।

ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି ଯେ, କରୋନା କାଳରେ ମହାବିଦ୍ୟାଳୟରେ ପାଠପଢା ଠିକ ସେ ହୋଇ ପାରିନାହିଁ । ଅନୁରୂପ ଭାବେ ଅନଲାଇନ କ୍ଲାସର ବି ଅତାପତ୍ତା ନାହିଁ । ତେଣୁ ରାଜ୍ୟ ସରକାର ତୁରନ୍ତ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ନେଇ ଘୋଷଣା କରନ୍ତୁ । ଅପରପକ୍ଷେ ଘଟଣାସ୍ଥଳରେ ବାଲୁଗାଁ ପୋଲିସ ଉପସ୍ଥିତି ରହି ଉତ୍ୟକ୍ତ ଛାତ୍ର ମାନଙ୍କୁ ବୁଝାସୁଝା ଜାରି ରଖିଛି । ସୂଚନା ଥାଉ କି ଆଜି ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀ ମାନେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛନ୍ତି ।

