ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲାରେ ବଢୁଛି କ୍ୟାନସର ରୋଗୀଙ୍କ ସଂଖ୍ୟା । ଅନିୟନ୍ତ୍ରିତ ଜୀବନଶୈଳୀ , ଗୁଟଖା ମାଦକ ଦ୍ରବ୍ୟ ସେବନ ଆଦି ଯୋଗୁଁ କ୍ୟାନସର ରୋଗ ବଢ଼ିବାରେ ଲାଗିଛି । ବିଶେଷ କରି ଆଜିର ଯୁବ ସମାଜ ଏହି ମାରାତ୍ମକ ରୋଗର ଶିକାର ହେଉଛନ୍ତି । ପୁରୁଷ ମାନେ ମୁଖ, ପେଟ ଓ ଫୁସଫୁସ କର୍କଟ ରୋଗର ଶିକାର ହେଉଥିବା ବେଳେ ମହିଳା ମାନେ ବ୍ରେଷ୍ଟ , ଓଭାରି କ୍ୟାନସରର ଶିକାର ହେଉଛନ୍ତି । ବେଳେବେଳେ ଶିଶୁ ମାନଙ୍କୁ ମଧ୍ୟ ରକ୍ତ କର୍କଟ ହେଉଥିବା ଦେଖିବାକୁ ମିଳୁଛି । ଅନୁଗୁଳ ଜିଲ୍ଲାରେ ଏ ରୋଗର ଚିକିତ୍ସା ପାଇଁ ଡିଏମଏଫ୍ ଫଣ୍ଡରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି । ରୋଗକୁ ଶୀଘ୍ର କିଭଳି ଚିହ୍ନଟ କରାଯାଇ ଚିକିତ୍ସା କରାଯିବ ସେନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆମ୍ରି , ଆପୋଲୋ ଭଳି କର୍ପୋରେଟ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ମାନେ ଏଠି ଚିକିତ୍ସା ସେବା ଦେଉଛନ୍ତି । ପ୍ରତି ମାସର ପ୍ରଥମ ଓ ତୃତୀୟ ମଙ୍ଗଳବାର ଅଙ୍କୋଲୋଜିଷ୍ଟ ଡା ସୌରଭ ମିଶ୍ର, ଦ୍ଵିତୀୟ ଓ ଚତୁର୍ଥ ମଙ୍ଗଳବାର ଡା ସୁନିଲ ଜଏସ୍ୱାଲ ଏବଂ ଦ୍ଵିତୀୟ ଓ ଚତୁର୍ଥ ବୁଧବାର ଦିନ ରେଡିଏସନ୍ ଅଙ୍କୋଲୋଜିଷ୍ଟ୍ ଡା ସ୍ଥିତି ଦାସ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତି । ରୋଗୀମାନେ ଏହାର ସୁଯୋଗ ନେବା ଉଚିତ୍ । ବିଶ୍ଵ କର୍କଟ ଦିବସ ଅବସରରେ ଗଣମାଧ୍ୟମକୁ ଏକଥା ପ୍ରକାଶ କରିଛନ୍ତି ଏଡିଏମ୍ଓ ମେଡ଼ିକାଲ ଡା ମାନସ ରଂଜନ ବିଶ୍ୱାଳ । ଖୁବ୍ ଶୀଘ୍ର କର୍କଟ ୱାର୍ଡକୁ ପୂର୍ଣ୍ଣାଙ୍ଗ କରାଯିବା ସହ ଆବଶ୍ୟକ ହେଲେ କର୍କଟ ଜନିତ ନିଦାନ କେନ୍ଦ୍ରର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହା ଛଡା ଜିଲ୍ଲା ଏନସିଡିସେଲ ପକ୍ଷରୁ କର୍କଟ ରୋଗ ନେଇ ପରାମର୍ଶ ଦିଆଯାଉଥିବା ଜଣା ପଡ଼ିଛି ।

