ଭୋଟର କାର୍ଡରେ ଅନିୟମିତତା : ବାଣପୁର ବ୍ଲକ ସମ୍ମୁଖରେ ଧାରଣା ଦେଲେ ଅଭିଯୋଗକାରୀ ପରିବାର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଭୋଟର କାର୍ଡରେ ଅନିୟମିତତାକୁ ନେଇ ଧାରଣା ଦେଇଛନ୍ତି ଗୋଟିଏ ପରିବାର ର ସଦସ୍ୟ । ଖବର ମୁତାବକ କୁମାରାଙ୍ଗ ଶାସନ ଗ୍ରାମର ଦିଲ୍ଲୀପ କୁମାର ମିଶ୍ର ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ କୁମାରାଙ୍ଗ ଗ୍ରାମ ପଞ୍ଚାୟତ ୮ ନମ୍ବର ୱାର୍ଡରୁ ୱାର୍ଡ ମେମ୍ବର ପ୍ରାର୍ଥୀ ପାଇଁ ନୋମିନେସନ କରିଥିଲେ । କିନ୍ତୁ ନୋମିନେସନ ସମୟରେ ତାଙ୍କ ନାମ ଭୋଟର ଲିଷ୍ଟରେ ନଥିଲା ଏବଂ ତାଙ୍କ ପରିବାରର ଅନ୍ୟ ୫ ଜଣଙ୍କ ନାମ ୮ ନମ୍ବର ୱାର୍ଡ ପରିବର୍ତ୍ତେ ୯ ନମ୍ବର ୱାର୍ଡକୁ ସ୍ଥାନାନ୍ତରିତ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଦିଲ୍ଲୀପ କହିଛନ୍ତି ଯେ, ସେ ୮ ନମ୍ବର ୱାର୍ଡର ସ୍ଥାୟୀ ବାସିନ୍ଦା ଥିଲେ ତାଙ୍କ ପଞ୍ଚାୟତର ଶାସକ ଦଳର କୁଜି ନେତା ମାନେ ସରକାରୀ କର୍ମଚାରୀଙ୍କୁ ହାତ ବାରିସୀ କରି ତାଙ୍କ ନାମକୁ ଭୋଟର ତାଲିକାରୁ କାଟିଛନ୍ତି ଏବଂ ତାଙ୍କ ପରିବାରର ନାମକୁ ୯ ନମ୍ବର ୱାର୍ଡରେ ସ୍ଥାନାନ୍ତରିତ କରିଛନ୍ତି । ତେବେ ଗଣତନ୍ତ୍ରରେ ମତ ସାବ୍ୟସ୍ତ କରିବା ଏବଂ ନିର୍ବାଚନ ଲଢ଼ିବା ପ୍ରତି ନାଗରିକର ସାମ୍ବିଧାନିକ ଅଧିକାର ହୋଇଥିବା ବେଳେ ଶାସକ ଦଳର କୁଜି ନେତା ଏବଂ ସରକାରୀ କର୍ମଚାରୀ ମିଳିତ ଭାବେ ଆଇନକୁ ହାତକୁ ନେଇ କ୍ଷମତାର ଅପବ୍ୟବହାର କରି କିପରି ଜଣେ ନାଗରିକର ନାମକୁ ଭୋଟର କାର୍ଡରୁ କାଟି ପାରୁଛନ୍ତି , ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି ।

ତେବେ ଏ ନେଇ ଦିଲ୍ଲୀପ ଗତ ମାସ ୨୭ ତାରିଖରେ ବାଣପୁର ବିଡ଼ିଓଙ୍କୁ ଭେଟି ଏହାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ଏବଂ ତାଙ୍କୁ ପୁନଃ ନୋମିନେସନ ପାଇଁ ସୁଯୋଗ ଦିଆଯାଉ ବୋଲି ଏକ ଦାବିପତ୍ର ଦେଇଥିଲେ । କିନ୍ତୁ ଗତକାଲି ସୁଦ୍ଧା ଦିଲ୍ଲୀପଙ୍କୁ ବ୍ଲକ ପ୍ରଶାସନ କୌଣସି ଉତ୍ତର ନଦେବାରୁ ସେ ଆଜି ବାଧ୍ୟ ହୋଇ ନିଜ ପରିବାର ସହ ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଦିଲ୍ଲୀପ କହିଛନ୍ତି ଯେ, ଯଦି ତାଙ୍କୁ ମତଦାନରୁ ବଞ୍ଚିତ କରାଯାଏ ତେବେ ନିର୍ବାଚନ ଦିନ ସେ ସପରିବାରେ ମତଦାନ କେନ୍ଦ୍ରରେ କଳା ପତାକା ପ୍ରଦର୍ଶନ କରିବା ସହ ଧାରଣା ଦେବେ । ତେବେ ଏ ନେଇ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକଙ୍କୁ ପଚାରିବାରୁ, ଦିଲ୍ଲୀପଙ୍କ ନାମ ବିଧାନସଭା ନିର୍ବାଚନ ଲିଷ୍ଟରେ ଥିବାବେଳେ ପଞ୍ଚାୟତ ନିର୍ବାଚନ ଲିଷ୍ଟରେ ନଥିବା କହିଛନ୍ତି । ଅନୁରୂପ ଭାବେ ଯଦି ଦିଲ୍ଲୀପ ଏବଂ ତାଙ୍କ ପରିବାର ବର୍ଗଙ୍କ ଭୋଟର କାର୍ଡରେ ତ୍ରୁଟି ଥିଲା ତେବେ ସେ ସଂଶୋଧନ କରିବାର ସମୟ ସିମା ମଧ୍ୟରେ ଆବେଦନ କରିପାରିଥାନ୍ତେ । କିନ୍ତୁ ସେ ତାହା କରି ନଥିବାରୁ ଅଦ୍ୟାବଧି ଏପରି ତ୍ରୁଟି ରହିଛି ବୋଲି ପ୍ରକାଶ କରିଛନ୍ତି ।

 

Leave a Reply

Your email address will not be published. Required fields are marked *