ଚିଲିକା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା : ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଥମ ଦିନରେ ୨୧ ଗିରଫ !!!

0
1581

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ଚିଲିକା ବ୍ଲକରେ ମତଦାନ ଶେଷ ହୋଇଛି । ବର୍ତ୍ତମାନ ଭୋଟ ବାକ୍ସ ଭିତରେ ସମସ୍ତ ପ୍ରାର୍ଥୀ ମାନଙ୍କ ଭାଗ୍ୟ ବନ୍ଦ ହୋଇରହିଛି । ତେବେ ନିର୍ବାଚନ ପୁର୍ବରୁ ଏବଂ ପରେ ଉଭୟ ବାଣପୁର ଓ ଚିଲିକା ବ୍ଲକରେ ଏକାଧିକ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ଗ୍ରହଣ କରିଛି କଡ଼ା କାର୍ଯ୍ୟାନୁଷ୍ଠାନ । ଜିଲ୍ଲା ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦ୍ଦେଶ କ୍ରମେ ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ଆଜି ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳର ରାଜନୈତିକ ହିଂସାରେ ଜଡ଼ିତ ଥିବା ୨୧ ଜଣ ଉପଦ୍ରବି ମାନଙ୍କୁ ଚି଼ହ୍ନଟ କରାଯାଇ ଗିରଫ କରାଯାଇଛି । ଆଜି ପ୍ରଥମ ଦିନରେ ବାଲୁଗାଁ ଥାନା ଅଞ୍ଚଳରୁ ୧୪ ଏବଂ ବାଣପୁର ଥାନା ଅଞ୍ଚଳରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଏସପି ଶ୍ରୀ ପହି । ନିକଟରେ ବାଲୁଗାଁ ଥାନା ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମ ଏବଂ ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ୱର ଗ୍ରାମ ଓ ଥାନା ପରିସରରେ ଘଟିଥିବା ହିଂସାରେ ଉକ୍ତ ଅଭିଯୁକ୍ତ ମାନେ ଜଡିତ ଥିବା ଜଣାପଡିଛି । ଏହି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି ଏବଂ ସମସ୍ତ ଅଭିଯୁକ୍ତ ମାନେ ଗିରଫ ନହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଏସପି କହିଛନ୍ତି । ତତ ସହିତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଏସପି ଜନସାଧାରଣଙ୍କୁ ଅପିଲ କରିଛନ୍ତି । ହିଂସାକୁ କଦାପି ବରଦାସ୍ତ କରାଯିବ ନାହିଁ ଏବଂ ଆଗକୁ ମଧ୍ୟ ଯିଏ ରାଜନୈତିକ ହିଂସା ସୃଷ୍ଟି କରିବ ତାକୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ଏସପି ଶ୍ରୀ ପହି କହିଛନ୍ତି । ତେବେ ନିର୍ବାଚନ ପରେ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ଆକ୍ସନ ମୁଡ଼ରେ ଦେଖିବାକୁ ମିଳିଛି । ‘ତମେ ଭଦ୍ର ହେଲେ ଆମେ ନମ୍ର’ ଏବଂ ‘ତମେ ହିଂସ୍ର ହେଲେ ଆମେ ଉଗ୍ର’ ଏହି ମନ୍ତ୍ରକୁ ନେଇ ଆଗକୁ ବଢୁଛି ପୋଲିସ । ତେବେ ଗିରଫ ଭୟରେ ଉକ୍ତ ରାଜନୈତିକ ହିଂସାରେ ଜଡ଼ିତ ଥିବା ବହୁ ନେତା ଓ କର୍ମୀ ମାନେ ବର୍ତ୍ତମାନ ଅଞ୍ଚଳ ଛାଡି ପାତାଳି ହେଉଥିବାର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here