ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତ ୧୨ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣଙ୍କ ଉପରେ ଗାଡ଼ି ମଡାଇବା ଅଭିଯୋଗରେ ଚିଲିକା ବିଧାୟକ ଗିରଫ ହୋଇ ଜେଲରେ ଅଛନ୍ତି । କିନ୍ତୁ ସେହିଦିନ ଏହି ଘଟଣା ପରେ ଚିଲିକା ବିଧାୟକଙ୍କୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ । ଜନସାଧାରଣଙ୍କ ମାଡରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲହୁ ଲୁହାଣ ହୋଇ ପଡ଼ିଥିଲେ । ଏହାପରେ ବିଧାୟକଙ୍କ ସମର୍ଥକ ମାନେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲେ । ସେବେ ଠାରୁ ଅଭିଯୁକ୍ତ ମାନେ ଫେରାର ଥିବାବେଳେ ସେମାନଙ୍କ ମଧ୍ୟରୁ ନଅ ଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ଏସଡିପିଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଟିମ ଆଜି ନୀଳାଦ୍ରିପ୍ରସାଦ ସ୍ଥିତ ପୁରୁଣା ବଙ୍କାଡ଼ଗଡ଼ ରାଜପ୍ରସାଦ ନିକଟସ୍ଥ ଜଙ୍ଗଲରୁ ଗିରଫ କରି ବାଣପୁର କୋର୍ଟ ଚାଲାଣ କରିଛି । ସେମାନଙ୍କ ବିରୁଦ୍ଧରେ ବାଣପୁର ଥାନାରେ କେଶ ନମ୍ବର ୧୧୭ / ୨୨ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ଏବଂ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପ୍ରକ୍ରିୟା ଜାରି ରହିଥିବାର ଏସଡିପିଓ ବାଲୁଗାଁ ମାନସ ରଞ୍ଜନ ବାରିକ କହିଛନ୍ତି । ଅନୁରୂପ ଭାବେ ବିଧାୟକଙ୍କ ଗାଡ଼ି ନମ୍ବର ଜାଲିଆତି ମାମଲାରେ ଏପ୍ରିଲ ୨ ତାରିଖ ସନ୍ଧ୍ୟା ୫ ଘଟିକା ସୁଦ୍ଧା ଉଭୟ ଗାଡ଼ି ମାଲିକଙ୍କୁ ଗାଡ଼ି କାଗଜପତ୍ର ଦାଖଲ କରିବା ପାଇଁ ନୋଟିସ ଦିଆ ଯାଇଥିବାର ଏସଡିପିଓ ଶ୍ରୀ ବାରିକ କହିଛନ୍ତି ।
ଚିଲିକା ବିଧାୟକଙ୍କ ଉପରେ ଆକ୍ରମଣ ଘଟଣା : ନଅ ଅଭିଯୁକ୍ତ ଙ୍କୁ ଗିରଫ କଲା ବାଣପୁର ପୋଲିସ !!!

