କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ଵିନୀ କୁମାର ଦେବତା : ଏମ୍ ସି ଏଲ୍ ତାଳଚେର ଲିଙ୍ଗରାଜ କୋଇଲା ଖଣି ତିନି ନମ୍ବର ସାଇଡିଂ ରେ ଠିକା ଶ୍ରମିକ ନିଯୁକ୍ତି ଦାବିରେ ଖଣି ବନ୍ଦ ଆନ୍ଦୋଳନ ଚାଲିଥିବା ଯୋଗୁଁ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଏକ ପ୍ରଶାସନିକ ଆଲୋଚନା ହୋଇଥିଲା l ସୂଚନା ଅନୁସାରେ 2020 ମସିହା ଅଗଷ୍ଟ ମାସରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଲିଙ୍ଗରାଜ କୋଇଲା ଖଣି ତିନି ନମ୍ବର ସାଇଡିଂ ରେ 84 ଜଣ ଠିକା ଶ୍ରମିକଙ୍କୁ ଲିଙ୍ଗରାଜ ଖଣି କର୍ତ୍ତୁପକ୍ଷ ନିଯୁକ୍ତି ଦେଇଥିଲେ l ପରବର୍ତ୍ତୀ ସମୟରେ ସେମାନଙ୍କୁ କାମରୁ ଛଟେଇ କରି ଦେଇଥିବାରୁ ଆନ୍ଦୋଳନକାରୀ ମାନେ ପ୍ରଥମେ ତିନି ନମ୍ବର ସାଇଡିଂ ବନ୍ଦ କରି ଦେଇଥିଲେ l

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଏ ଆନ୍ଦୋଳନକୁ ସମର୍ଥନ କରିଥିବାରୁ ତାଳଚେର ଏମ୍ ସି ଏଲ୍ କର୍ତ୍ତୁପକ୍ଷ , ତହସିଲଦାର, ଏସ୍ ଡି ପି ଓ ଙ୍କ ସହ ଆଲୋଚନା କରି ବିଫଳ ହେବାରୁ ଆନ୍ଦୋଳନକାରୀ ମାନେ ତାଳଚେରର ସମସ୍ତ କୋଇଲା ଖଣି ବନ୍ଦ କରି ଦେଇଥିଲେ l ଆଜି ଜିଲ୍ଲାପାଳଙ୍କ ସହିତ ଏ ବାବଦରେ ଆଲୋଚନା କରି ସମାଧାନର ବାଟ ବାହାରିଥିବାରୁ ଆନ୍ଦୋଳନ ପ୍ରତ୍ୟାହାର କରାଯିବା ନେଇ ତାଳଚେର ବିଧାୟକ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

