ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଜିଲ୍ଲାରେ ଘଟୁଥିବା ଦୁର୍ଘଟଣା, ଗଣ୍ଡଗୋଳ ଅବା ଅଗ୍ନିକାଣ୍ଡ ଭଳି ଆପାତକାଳୀନ ସମୟରେ ଜରୁରୀ ସେବା ଯୋଗାଇବାକୁ ଅନୁଗୁଳ ପୁଲିସ୍ କୁ ମିଳିଛି ୩ ଟି ଜରୁରୀକାଳୀନ ସେବା ଗାଡ଼ି । ନିକଟରେ ଏହାକୁ ପୁଲିସ୍ ଡିଜି ଲୋକାର୍ପିତ କରିଥିବା ବେଳେ ସୋମବାର ରାତିରେ ଏହି ୩ ଟି ଗାଡ଼ି ଅନୁଗୁଳରେ ପହଞ୍ଚିଛି । ଏଥିରୁ ଗୋଟିଏ ଗାଡ଼ିକୁ ଅନୁଗୁଳ ଥାନାକୁ ପ୍ରଦାନ କରାଯାଇଥିବା ଅନ୍ୟ ୨ ଟି ଗାଡ଼ିକୁ ସଦର ଥାନା ଓ ତାଳଚେର ଥାନାକୁ ଦିଆଯାଇଛି । ଏହି ଗାଡ଼ିରେ ଅତ୍ୟାଧୁନିକ ସୁବିଧା ରହିଛି । ଦୁର୍ଘଟଣା, ଗଣ୍ଡଗୋଳ ଓ ଅଗ୍ନିକାଣ୍ଡ ଭଳି ଘଟଣାରେ ୧୧୨ ନମ୍ବରରେ ଯୋଗାଯୋଗ କଲେ ଏହି ଗାଡ଼ି ପହଞ୍ଚି ତ୍ୱରିତ ସେବା ଯୋଗାଇଦେବ । ଏହି ଗାଡ଼ିରେ ଜିପିଏସ୍, ବାୟୋମେଟ୍ରିକ୍ ଷ୍ଟ୍ରେଚର, ଫାଷ୍ଟଏଡ୍ ବକ୍ସ ଆଦିର ସୁବିଧା ରହିଛି । ପ୍ରତି ଗାଡ଼ିରେ ୩ ଜଣ ସ୍ଵତନ୍ତ୍ର କର୍ମଚାରୀ ନିୟୋଜିତ କରାଯାଇଥିବା ବେଳେ ଆଗାମୀ ଦିନରେ ପ୍ରତି ଥାନାକୁ ଏହି ଜରୁରୀକାଳୀନ ସେବା ଗାଡ଼ି ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

