ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅସରାଏ ବର୍ଷାରେ ଉବୁଟୁବୁ ସହର । ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ସଂନ୍ଧ୍ୟାରେ ସାମାନ୍ୟ କାଳବୈଶାଖୀ ବର୍ଷା ଫଳରେ ସହରର ମୁଖ୍ୟ ରାସ୍ତା ଜଳମଗ୍ନ ହୋଇଛି । ମେଡିକାଲ ଛକ, ପୁରୁଣା ଏନଏସି ଅଫିସ ସମ୍ମୁଖ, ପାଣ୍ଡିରୀପଦର ଛକ, ଚିଆଁକସାହି ଛକ ଆଦି ସ୍ଥାନର ମୁଖ୍ୟ ରାସ୍ତା ଜଳମଗ୍ନ ହୋଇଛି । ତେବେ ଏ ସମସ୍ୟା ଆଜିର ନୁହେଁ , ଦୀର୍ଘ ବର୍ଷର । ବାଣପୁର ଏନଏସିରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏପରି ଦୟନୀୟ ସ୍ଥିତି ବର୍ଷ ତମାମ ଲାଗି ରହୁଛି । କିନ୍ତୁ ବିଭାଗୀୟ ଅଧିକାରୀ ନିଦ୍ରାରେ । ପୂର୍ତ୍ତବିଭାଗ, ଏନଏସି ପ୍ରଶାସନ ଏବଂ ତହସିଲ ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବରୁ ଏପରି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି ସହରରେ । ଏନଏସି ସ୍ଥାପନ ଦିନ ଠାରୁ ଏଠାରେ ଡ୍ରେନେଜ ବ୍ୟବସ୍ଥା ହୋଇନାହିଁ, ଯାହା ଦ୍ୱାରା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବହୁ ଦାବି ପରେ ପାଣ୍ଡିରୀପଦର ଛକରେ ଗତ ବର୍ଷ ପୂର୍ତ୍ତ ବିଭାଗ ପକ୍ଷରୁ ବର୍ଷା ଜଳ ନିଷ୍କାସନ ନିମନ୍ତେ ଲକ୍ଷାଧିକ ଅର୍ଥ ବ୍ୟୟରେ ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରାଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ତାହାକୁ ମଧ୍ୟ ସ୍ଥାନୀୟ ବାସିନ୍ଦା ନିର୍ମାଣ ହେବାର କେଇ ମାସ ମଧ୍ୟରେ ପୋତି ସାରିଲେଣି, କିନ୍ତୁ ଏଥିରେ ପୂର୍ତ୍ତବିଭାଗ ଚୁପ । ସେହିପରି ଭାବେ ଦୀର୍ଘ ଛଅ ମାସ ହେଲାଣି ଗାଲୁଆ ଛକରେ ଜଳ ନିଷ୍କାସନ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣଧୀନ ଡ୍ରେନେଜ କାମ ଶେଷ ହେଉନାହିଁ । ଫଳରେ ମୁକୁଳା ଡ୍ରେନେଜ ଲାଗି ସ୍ଥାନୀୟ ବାସିନ୍ଦା ଏବଂ ଜନସାଧାରଣଙ୍କ ଜୀବନ ବିପଦପୂର୍ଣ୍ଣ ହୋଇ ଉଠିଛି । ଗ୍ରୀଷ୍ମ ଦିନ ସାମାନ୍ୟ କାଳବୈଶାଖୀ ବର୍ଷାରେ ଯଦି ସହରର ଏପରି ଅବସ୍ଥା, ତେବେ ବର୍ଷା ଦିନରେ ଉକ୍ତ ସମସ୍ୟା କି ରୁପ ନେବ ତାହା ସହଜରେ ଅନୁମେୟ । ବର୍ତ୍ତମାନ ଏନଏସି ନୂଆ ଅଧ୍ୟକ୍ଷ ପାଇଛି । ଜନସାଧାରଣ ମାନେ ଆଶା କରିଛନ୍ତି ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଖୁବ ଶୀଘ୍ର ଉକ୍ତ ସମସ୍ୟାକୁ ସମାଧାନ କରିବେ । ନଚେତ ଭବିଷ୍ୟତରେ ବାଣପୁର ସହର ବାସୀ ଜଳବନ୍ଦୀ ହୋଇ ରହିବେ ଏଥିରେ କୌଣସି ଦ୍ଵିମତ ନାହିଁ ।
କାଳବୈଶାଖୀ ବର୍ଷାରେ ବୁଡ଼ିଲା ବାଣପୁର ଏନଏସି : ପ୍ରହସନ ପାଲଟିଛି ଡ୍ରେନେଜ ବ୍ୟବସ୍ଥା !!!

