କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ୫ ଜଣ ଡକାୟତକୁ ଗିରଫ କରିବାରେ ସକ୍ଷମ ହୋଇଛି ପୁଲିସ । ଏନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ଡକାୟତ ଗ୍ୟାଙ୍ଗକୁ ସେମାନେ ବ୍ୟବହାର କରୁଥିବା ମୋବାଇଲ ଫୋନ ଧରାଇ ଦେଇଛି । ମୋବାଇଲ ଫୋନକୁ ଟ୍ରାକ କରି ପୁଲିସ ସେମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହା ସହିତ ସେମାନଙ୍କ ଠାରୁ ଚୋରି ହୋଇଥିବା ସୁନା ଗହଣା ସହିତ ଗୋଟିଏ ମୋବାଇଲ ଫୋନ କୁ ଟିକାବାଲି ପୁଲିସ ଜବତ କରିଛି । ଗିରଫ ଡକାୟତ ହେଲେ ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଉଦ୍ଧବ ମଲ୍ଲିକ, ଆଦମ ମାଝୀ, ରହିମ ମାଝୀ ଓ ଦାରିଙ୍ଗିବାଡି ଅଞ୍ଚଳର କୃପାକର ମୁଖୀ ଓ ଟିକାବାଲି କଇଁଝର ଅଞ୍ଚଳର ସଞ୍ଜୟ କୁମାର ମଳିକ । ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲା ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗ୍ରାମର ପ୍ରଶାନ୍ତ ପାତ୍ରଙ୍କ ଘରୁ ଗତ ଏପ୍ରିଲ ୨୩ ତାରିଖ ମଧ୍ୟ ରାତ୍ରିରେ ୭ ରୁ ଅଧିକ ଡକାୟତ ପଶି ଖେଳନା ବନ୍ଧୁକ ଦେଖାଇ ଓ ମାଡ଼ ମାରି ବହୁ ସୁନା ଗହଣା, ମୋବାଇଲ, ଟାବଲେଟ ଲୁଟି ନେଇଥିଲେ । ଏନେଇ ୨୪ ଏପ୍ରିଲରେ ଟିକାବାଲି ଥାନାରେ ଏତଲା ଦିଆଯିବା ପରେ ପୁଲିସ ପକ୍ଷରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ମୋବାଇଲ ଫୋନକୁ ଟ୍ରାକିଂ କରି ଡକାୟତଙ୍କ ପିଛା କରିବା ଆରମ୍ଭ କରିଥିଲା ପୁଲିସ । ଏହାପରେ ଜଣ ଜଣ କରି ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପାଖରୁ ୨୦ ଗ୍ରାମ ସୁନା ଗହଣା, ଗୋଟିଏ ମୋବାଇଲ ଫୋନ, ଦୁଇଟି ବାଇକ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଓ ଘୁ.ଉଦୟଗିରି ଏସଡ଼ିପିଓ ଡ଼ି.ଟି.ଆର.ପଟ୍ଟନାୟକ ପ୍ରକାଶ କରିଛନ୍ତି । ଦୀର୍ଘ ୧୮ ଦିନ ଧରି ଏହି ଅଭିଯୁକ୍ତ ମାନଙ୍କୁ ଖୋଜି ଖୋଜି ଶେଷରେ ଦାରିଙ୍ଗିବାଡ଼ି ଥାନା ଅଧିକାରୀ ଓ ବ୍ରାହ୍ମଣୀଗାଁ ଥାନା ଅଧିକାରୀଙ୍କ ସହଯୋଗ ରେ ଏହି ଅଭିଯୁକ୍ତ ମାନଙ୍କୁ କାବୁ କରିଥିଲା ଟିକାବାଲି ପୁଲିସ । ଏହି ଘଟଣାରେ ଆଉ ଦୁଇ ଜଣ ଫେରାର ରହିଛନ୍ତି । ସେମାନଙ୍କୁ ଚିହ୍ନଟ କରାଯାଇଛି ଓ ଖୁବ ଶୀଘ୍ର ଗିରଫ କରିବାରେ ସଫଳ ହେବ ବୋଲି ଏସଡ଼ିପିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ମୋବାଇଲ ଫୋନର କରାମତି : ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗକୁ ବାନ୍ଧିଲା ଟିକାବାଲି ପୁଲିସ !!!

