ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଟଙ୍କା ଆଗରେ ତୁଚ୍ଛ ହୋଇଛି ସମ୍ପର୍କ । ମା‘କୁ ପିଟି ପିଟି ହତ୍ୟା କରିଛି ପିଶାଚ ପୁଅ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବାଗଡିଆ ଦେହୁରୀ ସାହିରେ ଦେଖିବାକୁ ମିଳିଛି । ମୃତକ ଜଣକ ଅବସରପ୍ରାପ୍ତ ଏଏନଏମ ବୀଣାପାଣି ଦାଶ ବୋଲି ଜଣା ପଡିଛି l ସୂଚନା ଅନୁସାରେ ବାଗଡିଆ ପୋଷ୍ଟ ଅଫିସ ନିକଟସ୍ଥ ଦେହୁରୀ ସାହିରେ ବୀଣାପାଣି ଦାଶ ତାଙ୍କ ପରିବାରଙ୍କ ସହ ରହି ଆସୁଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ସାନ ପୁଅ ତୁଷାରକାନ୍ତ ଦେହୁରୀ ସହିତ ରହୁଥିବା ବେଳେ ଟଙ୍କା ପାଇଁ ମା ବୀଣାପାଣିଙ୍କୁ ପୁଅ ତୁଷାରକାନ୍ତ ଦେହୁରୀ ଅନେକ ସମୟରେ ଅଶ୍ଳୀଳ ଗାଳି ଗୁଲଜ କରିବା ସହିତ ନିସ୍ତୁକ ମାରପିଟ କରି ମା‘ଙ୍କ ଠାରୁ ଟଙ୍କା ନେଇଥାନ୍ତି l ଗତକାଲି ମଧ୍ୟ ତୁଷାର ମା‘ଙ୍କୁ ଟଙ୍କା ମାଗିଥିଲେ କିନ୍ତୁ ତାଙ୍କ ମା ବୀଣାପାଣି ଟଙ୍କା ନଦେବାରୁ ଘରେ କବାଟ ଦେଇ ମା’ କୁ ମାଡ ମାରିଥିଲେ । ତେବେ ପଡିଶା ଲୋକ ଏସବୁ ଜାଣିଥିଲେ ମଧ୍ୟ ତୁଷାରଙ୍କ ଭୟରେ କେହି ବାରଣ କରିବାକୁ ଯାଇ ନଥିଲେ । ସକାଳେ ଘରୁ କେହି ବାହାରକୁ ବାହାରି ନଥିବା ବେଳେ ଘର ମୁଖ୍ୟ କବାଟରେ ତାଲା ପଡିଥିବା ଦେଖି ପଡିଶା ଲୋକ ମାନେ ସନ୍ଦେହରେ କବାଟ ଫାଙ୍କରେ ଦେଖିଥିଲେ । ବୀଣାଙ୍କ ମୃତଦେହ ଦୁଆର ଅଗଣାରେ ପଡିଥିବା ଦେଖି ସ୍ଥାନୀୟ ଲୋକ ମାନେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଟଙ୍କା ପାଇଁ ପୁଅ ତୁଷାରକାନ୍ତ ଦେହୁରୀ ରବିବାର ବିଳମ୍ବିତ ରାତିରେ ନିସ୍ତୁକ ମାଡ ମାରି , ମା କୁ ମାରି ଦେଇଥିବା ବେଳେ ମା ‘ ର ମୃତ୍ୟୁପରେ ପୁଅ ଘରର ମୁଖ୍ୟ କବାଟରେ ତାଲା ପକାଇ ଫେରାର ହୋଇ ଯାଉଥିଲା । କୌଣସି ମତେ ସୂଚନା ପାଇ ପୁଲିସ ତାକୁ ଦେବଗଡ ଛକରୁ କାବୁ କରିଛି । ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଥିବା ବେଳେ ଅଟକ ତୁଷାରକୁ ମଧ୍ୟ ପଚରାଉଚୁରା କରୁଛି ।

