କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରାମ ଛତ୍ରୀଆ : ପ୍ରସ୍ତୁତ ହେଉଛି ଯୋଜନା ପରେ ଯୋଜନା, ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା . କିନ୍ତୁ ବିକାଶ ର ପାଦ ଗାଆଁ କୁ ପଡ଼ିନାହିଁ । ଜଙ୍ଗଲ ଭିତରେ ଆଦିବାସୀ ଅଭିଶପ୍ତ ଜୀବନ କାଟୁଥିବା ବେଳେ ସବୁ ବିକାଶ କୁ ଗ୍ରାସ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପାହାଡ଼ ଜଙ୍ଗଲ ଘେରା ଅଞ୍ଚଳରେ ଥିବା ଆଦିବାସୀ ଗାଁ ମାନଙ୍କରେ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଜୟପାଟଣା ବ୍ଲକ ଅଲାଭଟା ଗ୍ରାମପଞ୍ଚାୟତ ର କେତୋଟି ଗାଁ ରହିଛି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଅଞ୍ଚଳରେ । ପଞ୍ଚାୟତ ର ୧୪ ଓ ୧୫ ନମ୍ବର ୱାର୍ଡ ର କରଳା କୋଟ, ପଟାକୁସମୀ, ଦାବରୀଘାଟି, କରାଘାଟି ଭଳି ଅଞ୍ଚଳରେ ବିକାଶ ର ପଦଚିହ୍ନ ପଡ଼ିନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି, ରାସ୍ତାଘାଟ ଭଳି ମୌଳିକ ସୁବିଧା ସାତ ସପନ ହୋଇଛି ।ଜଙ୍ଗଲଜାତ ସାମଗ୍ରୀ ବିକ୍ରି କରି ଲୋକେ ପରିବାର ପ୍ରତିପୋଷଣ କରିଥାନ୍ତି । ଗ୍ରାମପଞ୍ଚାୟତ କୁ ଯିବାକୁ ହେଲେ ୧୫ କିମି ପାହାଡିଆ ରାସ୍ତାରେ ଯିବାକୁ ପଡେ । ବାର୍ଦ୍ଧକ୍ୟ ଭତ୍ତା, ଚାଉଳ, କିରାସିନି ଆଣିବାକୁ ଲୋକେ ନାନା ସମସ୍ୟା ର ସମ୍ମୁଖିନ ହେଉଛନ୍ତି । ପ୍ରତି ପଂଚାୟତ ନିର୍ବାଚନ ବେଳେ ସରପଞ୍ଚ ଗାଁ ଲୋକ ମାନଙ୍କୁ ବିକାଶର ପ୍ରତିଶ୍ରୁତି ଦେଉଥିବା ବେଳେ ବିକାଶ ନାଲିଫିତା ତଳେ ଚାପି ହୋଇ ରହିଛି । ଆବାସ ଯୋଜନାରେ ସାମିଲ ହୋଇଥିଲେ ସୁଦ୍ଧା ଗୃହ ଗୁଡିକ ଅସମ୍ପୂର୍ଣ୍ଣ ଥିବା ବେଳେ ଲୋକେ ସେଇ କୁଡ଼ିଆରେ ଦିନ କାଟୁଛନ୍ତି । ଅଭିଯୋଗ ଅନୁସାରେ ଏଠି ଜଣେ ବିଭାଗୀୟ କର୍ମଚାରୀ ଗୃହ ଗୁଡିକର ଠିକା ନେଇ କାର୍ଯ୍ୟ କରୁଥିବା ବେଳେ ନିରୀହ ଆଦିବାସୀଙ୍କ ସବୁ ଟଙ୍କା ନେଇ ଗୃହ କାର୍ଯ୍ୟ ସମ୍ପାଦନ କରି ନାହାନ୍ତି । ଯାହା ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି ହେଉଛି । ଗାଁ ରେ ବିଜୁଳି ନଥିବା କାରଣରୁ ଗତ ୨୦୧୭ ମସିହାରେ ପଞ୍ଚାୟତ ତରଫରୁ ସୋଲାର ଲାଇଟ ଲଗା ଯାଇଥିଲା , କିନ୍ତୁ ନିମ୍ନ ମାନର ସରଞ୍ଜାମ ଯୋଗୁଁ ତାହା ଅଳ୍ପ ଦିନ ମଧ୍ୟରେ ଅଚଳ ହୋଇ ପଡିଥିଲା । ବର୍ତ୍ତମାନ ଡିବିରି ଆଲୁଅ ହିଁ ଲୋକଙ୍କ ଭରସା ପାଲଟିଛି । ପାନୀୟ ଜଳ ସମସ୍ୟା ଯୋଗୁଁ ଲୋକେ ନିକଟରେ ଥିବା ଝରଣା ପାଣି କୁ ସମସ୍ତ କାର୍ଯ୍ୟ ରେ ବ୍ୟବହାର କରୁଛନ୍ତି । ତେବେ ଦୂଷିତ ପାଣି ପିଇ ଅନେକ ଲୋକ ରୋଗର ଶିକାର ହେଉଛନ୍ତି । ଉଜ୍ଜଳା ଯୋଜନା ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ । ଯାହା ଫଳରେ ମହିଳା ମାନେ କାଠଚୁଲି ରେ ରୋଷେଇ କରୁଥିବା ପରିଲକ୍ଷିତ ହୋଇଛି । ଶିକ୍ଷା ଓ ଅଙ୍ଗନବାଡି କଥା ନକହିବା ଭଲ , ସ୍କୁଲ ଅଭାବ ଯୋଗୁଁ ଛାତ୍ରଛାତ୍ରୀ ମାନେ ଇଛାଶକ୍ତି ଥାଇ ମଧ୍ୟ ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି । ତେଣେ ଦୁଇ ରୁ ତିନି ମାସ ମଧ୍ୟରେ ଥରେ ଅଙ୍ଗନବାଡି ଡିଦି ଙ୍କ ଦେଖା ମିଳୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଏଠି ପ୍ରଶ୍ନ ଉଠେ ଏତେ ସବୁ ଯୋଜନା କାହାପାଇଁ । ଯଦି ଲୋକଙ୍କ ହିତ ନିମନ୍ତେ ଯୋଜନା କାର୍ଯ୍ୟକାରୀ ଓ ଉଦ୍ଦେଶ୍ୟ ସାଧିତ ନହେଉଛି ତେବେ ଏଥିପାଇଁ ଦୋଷୀ କିଏ । ଏ ନେଇ ଗ୍ରାମବାସୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଜଣାଇ ଥିଲେ ମଧ୍ୟ କୋଣସି ସୁଫଳ ମିଳିନାହିଁ ।
ବିକାଶ ର ସୂର୍ଯ୍ୟ ଏବେ ବି ଗାଁ କୁ ପଡିନି : ଗ୍ରାସ ହୋଇଛି ସବୁ ଯୋଜନା !!!

