ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଦଣ୍ଡନୃତ୍ୟରେ ଦେଖା, ତା’ ପରେ ବନ୍ଧୁତା, ପ୍ରେମ ଓ କୋର୍ଟରେ ବିବାହ ପରେ ଏବେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅନୁଗୁଳ ର ଜଣେ କିନ୍ନର । ନ୍ୟାୟ ପାଇବା ଆଶାରେ ଅନୁଗୁଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି କିନ୍ନର ସଂଘ । ଏହି କିନ୍ନର ହେଉଛନ୍ତି ସ୍ଥାନୀୟ ଶିମିଳିପଡ଼ାର ପ୍ରଶାନ୍ତ ସାହୁ । ସେ ଦଣ୍ଡ ନୃତ୍ୟ ଓ ବିବାହରେ ନାଚ କରି ଗୁଜୁରାଣ ମେଣ୍ଟାନ୍ତି । ତାଙ୍କ ଘର ପାଖେ ରହୁଥିବା ଆଲୋକ ସ୍ୱାଇଁଙ୍କ ସହ ଧୀରେ ଧୀରେ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କ୍ରମେ ଏହା ବିବାହର ରୂପ ନେଲା । ଲୋକନିନ୍ଦାକୁ ପଛରେ ପକାଇ ପରିବାରର ସହମତି ଓ କିନ୍ନର ସଂଘର ଉପସ୍ଥିତିରେ ଉଭୟେ ୬ ବର୍ଷ ତଳେ ବିବାହ କରିଥିଲେ । ଘର ବାହାରେ କିଛି ଦିନ ରହିବା ପରେ ବୋହୂର ସମ୍ମାନ ସହ ନିଜ ଘରକୁ ମଧ୍ୟ ନେଇଥିଲେ ଆଲୋକ । କିନ୍ତୁ ତା ପରଠାରୁ ଆରମ୍ଭ ହୋଇଥିଲା ନିର୍ଯାତନା । ଏ ନେଇ ସ୍ୱାମୀ ଆଲୋକ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଅନୁଗୁଳ ଆଦର୍ଶ ଥାନାରେ ସଙ୍ଗୀନ ଅଭିଯୋଗ କରିଛନ୍ତି କିନ୍ନର । ତାଙ୍କ ଅଭିଯୋଗ ମୁତାବକ ସ୍ୱାମୀ ଆଲୋକ ତାଙ୍କ ଠାରୁ ୬ ଲକ୍ଷ ଟଙ୍କା ଓ ସୁନା ଗହଣା ନେଇଛନ୍ତି । ସ୍ୱାର୍ଥ ହାସଲ ପରେ ଏବେ ସେ ତାଙ୍କୁ ପ୍ରତାରଣା ଓ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ଏମିତିକି ହତ୍ୟା ଧମକ ମଧ୍ୟ ଦେଉଛନ୍ତି । ପ୍ରତିଦିନ ଆଲୋକଙ୍କ ପରିବାର ତାଙ୍କ ଘରକୁ ଆସି ଗାଳି ଗୁଲଜ କରି ଧମକ ଦେଉଥିବାରୁ ବାଧ୍ୟ ହୋଇ ସେ ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି ।
ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅନୁଗୁଳ ର ଜଣେ କିନ୍ନର !!!

