ପୁଣି ଜେଲ ଯିବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ : ନିୟମିତ ଜାମିନ ଆବେଦନକୁ ଖାରଜ କଲେ ଉଚ୍ଚ ନ୍ୟାୟାଳୟ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉଚ୍ଚ ନ୍ୟାୟାଳୟରେ ନିୟମିତ ଜାମିନ ଆବେଦନ । ଗତ ୯ ତାରିଖରେ ନିୟମିତ ଜାମିନ ପାଇଁ ଶୁଣାଣି ଶେଷ ହୋଇଥିବା ବେଳେ ତାହାର ରାୟ ଆଜି ପ୍ରକାଶ ପାଇଛି । ରାୟରେ ଉଚ୍ଚ ନ୍ୟାୟାଳୟ ନିୟମିତ ଜାମିନକୁ ଖାରଜ କରି ଦେଇଛନ୍ତି । ଏବଂ ଆସନ୍ତା ୨୩ ତାରିଖରେ ବିଧାୟକ ବାଣପୁର ତଳ କୋର୍ଟରେ ଆତ୍ମ ସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ପକ୍ଷ ଓକିଲଙ୍କ ଲମ୍ବା ଯୁକ୍ତି ଶୁଣିବା ପରେ ଉଚ୍ଚ ନ୍ୟାୟାଳୟ ଏହି ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏସଏସ ପ୍ରଧାନ ଏବଂ ପୀଡ଼ିତ ମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜୟନ୍ତ କୁମାର ଖଣ୍ଡାୟତରାୟ ଓ ସାସ୍ୱତୀ ମହାପାତ୍ର ଉକ୍ତ ମାମଲା ପରିଚାଳନା କରୁଥିଲେ । ବିଧାୟକଙ୍କ ନିୟମିତ ଜାମିନକୁ ସେମାନେ କଡ଼ା ବିରୋଧ କରିଥିଲେ । ସେମାନେ ଯୁକ୍ତି ବାଢିଥିଲେ ଯେ, ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଧାୟକଙ୍କ ବ୍ଲକ ପରିସରକୁ ଯିବା ଯୁକ୍ତିଯୁକ୍ତ ନଥିଲା । ତତ ସହିତ ପୋଲିସ ବାରଣ କରିବା ସତ୍ତ୍ୱେ ବିଧାୟକ ଜାଲ ନମ୍ବର ଥିବା ଗାଡ଼ି ଚଲାଇ ଉଦ୍ଦେଶ୍ୟମୂଳକ ଭାବେ ଲୋକ ଏବଂ ପୋଲିସ ଉପରକୁ ଗାଡ଼ି ଚଢ଼ାଇଥିଲେ । ୧୯୯୨ ମସିହାରୁ ଏଯାବତ ବିଧାୟକଙ୍କ ବିରୋଧରେ ୧୨ ଗୋଟି ଅପରାଧିକ ମାମଲା ଅଛି । ତେଣୁ ସେ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଯୁକ୍ତି ଉପସ୍ଥାପନା କରିଥିଲେ ଆଡ଼ଭୋକେଟ ।

ସେହିପରି ଭାବେ ଗତବର୍ଷ ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କୁ ଜାମିନ ମିଳିବା ପରେ ପୁଣି ବିଧାୟକଙ୍କ ବିରୁଦ୍ଧରେ ଦୁଇ ଦୁଇଟା ଅପରାଧିକ ମାମଲା ରୁଜୁ ହୋଇଛି । ଯାହାଦ୍ୱାରା ସେ ଜାମିନ ସର୍ତ୍ତ ଉଲଂଘନ କରିଥିବାର ପୀଡ଼ିତ ମାନଙ୍କ ଓକିଲ ଦର୍ଶାଇଥିଲେ । ପୁର୍ବରୁ ସମାନ ଧରଣର ଦୁଇ ଗୋଟି ମାମଲାରେ ଆପେକ୍ସ କୋର୍ଟ ଦେଇଥିବା ରାୟର ମଧ୍ୟ ଉଦାହରଣ ପୀଡ଼ିତ ମାନଙ୍କ ଓକିଲ ଦେଇଥିଲେ । ବିଧାୟକଙ୍କ ଯଦି ସ୍ୱାସ୍ଥ୍ୟଗତ ସମସ୍ୟା ଜେଲରେ ଦେଖାଯାଏ, ତେବେ ତାଙ୍କର ଚିକିତ୍ସା ବ୍ୟବସ୍ଥା ଜେଲ କର୍ତ୍ତୃପକ୍ଷ କରି ପାରିବେ ବୋଲି ଉକ୍ତ ରାୟରେ ଉଲ୍ଲେଖ ଅଛି । ବର୍ତ୍ତମାନ ବିଧାୟକଙ୍କ ପାଇଁ ଉଚ୍ଚ ନ୍ୟାୟାଳୟର ସମସ୍ତ ଦ୍ୱାର ବନ୍ଦ ହୋଇ ଯାଇଥିବା ସ୍ଥଳେ ସେ ନିୟମିତ ଜାମିନ ପାଇବା ପାଇଁ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇ ପାରିବେ ବୋଲି ଆଇନ ବିଶାରଦ ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *