ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ଅଞ୍ଚଳରେ ଚଢ଼ାଉ କରି ଦୁଇ ଦୋକାନୀଙ୍କୁ ଗିରଫ କରିଛନ୍ତି । ଉକ୍ତ ଦୁଇ ଦୋକାନୀ ବେଆଇନ ଭାବେ ନକଲି ଆଇ.ଆର.ସି.ଟି.ସି ଆଇଡ଼ି ଖୋଲି ଜନସାଧାରଣଙ୍କୁ ଇ-ସରଂକ୍ଷିତ ରେଳ ଟିକେଟ ବିକ୍ରି କରୁଥିବାର ଜଣାପଡିଛି । ଗଞ୍ଜାମ ଜିଲ୍ଲା ଅଙ୍ଗାରଗାଁ ବଜାର ମୁଖ୍ୟ ରାସ୍ତାରେ ଅବସ୍ଥିତ ଗୁଗଲି ସଲ୍ୟୁସନ ଜନ ସେବା କେନ୍ଦ୍ର ଏବଂ ମା’ ତାରିଣୀ ପ୍ରେସ ଜନ ସେବା କେନ୍ଦ୍ରରେ ବେଆଇନ ଭାବେ ନକଲି ଆଇଡ଼ିରେ ରେଳ ଟିକେଟ ବିକ୍ରି ଚାଲିଥିଲା । ଚଢ଼ାଉ ବେଳେ ଗୁଗଲି ସଲ୍ୟୁସନ ଜନସେବା କେନ୍ଦ୍ରର ମାଲିକ ବାପି ସେଠି (୨୮) ଙ୍କ ନିକଟରୁ ଦୁଇ ଗୋଟି ଆଇଡ଼ି ଦ୍ୱାରା ତିଆରି ହୋଇଥିବା ସମୁଦାୟ ୨୦ ଗୋଟି ରେଳ ଟିକେଟ ଯାହାର ମୂଲ୍ୟ ପାଖାପାଖି ୩୦ ହଜାର ଟଙ୍କା ହେବ ଆରପିଏଫ ଜବତ କରିଥିବା ବେଳେ ମା’ ତାରିଣୀ ପ୍ରେସ ଜନ ସେବା କେନ୍ଦ୍ରର ମାଲିକ ସାଗର ସାହୁ (୩୦) ଙ୍କ ନିକଟରୁ ଦୁଇ ଗୋଟି ଆଇଡି ଦ୍ୱାରା ତିଆରି ହୋଇଥିବା ସମୁଦାୟ ୩ ଗୋଟି ରେଳ ଟିକେଟ ଜବତ କରିଛି, ଯାହାର ମୂଲ୍ୟ ପାଖାପାଖି ୪ ହଜାର ଟଙ୍କା ହେବ । ଏହି ପରିପ୍ରେକ୍ଷୀରେ ବାଲୁଗାଁ ଆରପିଏଫ କେଶ ନମ୍ବର ସି ୩ସି – ୨୪୫ / ୨୦୨୨ ଏବଂ ସି୩ସି- ୨୪୬ / ୨୦୨୨ ରେ ଦୁଇ ଗୋଟି ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ଦ୍ବୟଙ୍କୁ ଆଜି ଖଲିକୋଟ କୋର୍ଟ ଚାଲାଣ କରାଯାଇଥିବାର ଆରପିଏଫ ଆଇଆଇସି ଶ୍ରୀ ମୌର୍ଯ୍ୟ ସୂଚନା ଦେଇଛନ୍ତି ।
ନକଲି ଆଇଡ଼ିରେ ରେଳ ଟିକେଟ ବିକ୍ରି କରିବା ପଡିଲା ମହଙ୍ଗା : ଦୁଇ ଦୋକାନୀ ଗିରଫ !!!

