ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପରୀକ୍ଷା ଏବଂ ପରୀକ୍ଷା ପରବର୍ତ୍ତୀ ସମୟରେ ଶିକ୍ଷକ, ପିତାମାତା ତଥା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥାଏ ପରୀକ୍ଷା ଜନିତ ଭୟ, ଅବସାଦ ଏବଂ ଆତ୍ମହତ୍ୟା ଭଳି ବିଚାର ଉତ୍ପନ୍ନ ହୋଇଥିବା ପରିସ୍ଥିତି ଦୃଷ୍ଟିରୁ ଏହି ଶିକ୍ଷାବର୍ଷର ଆସନ୍ନ ପରୀକ୍ଷା ଫଳାଫଳ କୁ ଛାତ୍ରଛାତ୍ରୀ ମାନେ ସହଜ ଭାବେ ନେବା ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପ୍ରସ୍ତାବ ଅନୁସାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ “ପରୀକ୍ଷା ପର୍ବ” ନାମରେ ନୟାଗଡ ଜିଲ୍ଲାରେ ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଯାହା ଫଳରେ ସମସ୍ତ ପରୀକ୍ଷାର୍ଥୀ, ସେମାନଙ୍କ ପିତାମାତା / ଅଭିଭାବକ ଏବଂ ଶିକ୍ଷାଦାନ କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପାଖରେ ପହଞ୍ଚିବା ଲକ୍ଷ୍ୟ ରଖା ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ଯାବତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା ସମୟରେ ଆସୁଥିବା କଠିନତା କୁ କେଉଁ ଭଳି ଭାବରେ ସାମ୍ନା କରିବେ ଏବଂ 5T ମାଧ୍ୟମରେ ହେଉଥିବା ବିଦ୍ୟାଳୟ ଗୁଡିକ ରୁପାନ୍ତରୀକରଣ ମାଧ୍ୟମରେ ପିଲା ମାନଙ୍କର ମଧ୍ୟ ରୁପାନ୍ତରୀକରଣ ହୋଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡଃ ପୋମା ଟୁଡୁ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ପରୀକ୍ଷା ସମୟରେ ଚାପମୁକ୍ତ ରହିବା ସଙ୍ଗେସଙ୍ଗେ ଅଭିଭାବକ ମାନଙ୍କୁ ପିଲା ମାନଙ୍କୁ ଅତ୍ଯାଧିକ ମାନସିକ ଚାପ ପ୍ରୟୋଗ ନ କରିବା ପାଇଁ ପରାମର୍ଶ ଦେଇଥିଲେ । ପିଲାମାନେ ମାର୍କ ପ୍ରତି ଅତ୍ୟଧିକ ଗୁରୁତ୍ୱ ନଦେଇ କଠିନ ପରିଶ୍ରମ ଓ ଏକାଗ୍ରତା ସଫଳତା ର ଚାବିକାଠି ବୋଲି ଉଦାହରଣ ମାଧ୍ୟମରେ ପିଲାମାନଙ୍କୁ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆୟୋଗର ଅନ୍ୟତମ ସଦସ୍ୟା ଶ୍ରୀମତୀ ସୁଶ୍ରୀ ଦିବ୍ଯା ଶାଶ୍ବତୀ, ଜିଲ୍ଲା ଆରକ୍ଷୀ ଅଧକ୍ଷ ଅଲେଖ ପହି, ଜିଲ୍ଲା ଶିକ୍ଷା ଅଧିକାରୀ ଅକୃର ବାରିକ, ୟୁନିସେଫ ର କର୍ଯ୍ଯକର୍ତ୍ତା ଧର୍ମାନନ୍ଦ ସୁନ୍ଦରାୟ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପେନ୍ଦ୍ର ନାଥ ବଡଜେନା ପ୍ରମୁଖ ଉପସ୍ଥିତ ରହି ଶିକ୍ଷକ ଓ ଅଭିଭାବକ ମାନେ ପିଲା ମାନଙ୍କର ଅନ୍ତର୍ନିହିତ ଗୁଣାବଳୀକୁ ଚିହ୍ନଟ କରି ଏକ ଚାପମୁକ୍ତ ପରିବେଶ ମଧ୍ୟରେ ସେମାନଙ୍କର ବିକାଶ ସମ୍ଭବ ପର ବୋଲି ଦର୍ଶାଇ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ପ୍ରିନ୍ସିପାଲ ଡିଆଈଟି, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାର ପ୍ରମୁଖ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ ଏବଂ ଅନେକ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଧର୍ମାନନ୍ଦ ସୁନ୍ଦରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଶିଶୁ ସୁରକ୍ଷା ଅଧିକାରୀ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

