ଗଡ଼ିଲା ମହିମାମଣିଙ୍କ ରଥ : ଲୋକାରଣ୍ୟ ହେଲା ରଗଡି ବଡ଼ଦାଣ୍ଡ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଗଡ଼ିଲା ମହିମାମଣିଙ୍କ ରଥ , ଲୋକାରାଣ୍ୟ ହେଲା ରଗଡି ବଡ଼ଦାଣ୍ଡ . ଏଠାରେ ଦେଖିବାକୁ ମିଳେ ନିଆରା ପରମ୍ପରା , ବାଉଁଶରେ ଟଣା ହୁଏ ରଥ . ୨ ବର୍ଷର ଅପେକ୍ଷା ପରେ ଗଡ଼ିଲା ପ୍ରସିଦ୍ଧ ମହିମାମଣିଙ୍କ ରଥ । ବାଙ୍କୀ-ଡମପଡ଼ା ଅନ୍ତର୍ଗତ ରଗଡ଼ି ଗ୍ରାମରେ ପୂଜା ପାଉଥିବା ବାଙ୍କୀ ରାଜାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ମହିମାମଣି ଦେବଙ୍କ ରଥଯାତ୍ରା କରୋନା କଟକଣା ଯୋଗୁଁ ୨ ବର୍ଷ ହେବ ବନ୍ଦ ହୋଇଥିଲା । ଆଜି ଘୋଷଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ରଥଯାତ୍ରା ଦେଖିବା ପାଇଁ ମହିମାମଣିଙ୍କ ବଡ଼ଦାଣ୍ଡ ଜନ ସମାଗମରେ ଭରିଥିବା ଦେଖା ଯାଇଥିଲା । ସକାଳେ ମହିମାମଣିଙ୍କ ରୀତିନୀତି ସମାପନ ହେବା ସହିତ ବିଜେ ମଣ୍ଡପରେ ଶଙ୍କୁଡ଼ି ଭୋଗ କରା ଯାଇଥିଲା । ପରେ ରାଜଗୁରୁ ଏବଂ ବଡ଼ପଣ୍ଡା ମାନଙ୍କ ଉପସ୍ଥିତିରେ ମହିମାମଣିଙ୍କ ପୂଜାର୍ଚ୍ଚନା କରାଯାଇ ମହିମାମଣିଙ୍କୁ ପହଣ୍ଡି ବିଜେ କରିବା ପାଇଁ ସ୍ୱତନ୍ତ୍ର ବେଶ କରାଯାଇଥିଲା । ଦିନ ୩ ଟା ସୁଦ୍ଧା ପହଣ୍ଡି ଶେଷ ହୋଇଥିବା ବେଳେ ମହିମାମଣି ରଥାରୁଢ଼ ହୋଇଥିଲେ । ପରେ ବାଙ୍କୀ ରାଜା ଦୁର୍ଗାମାଧବ ଶ୍ରୀଚନ୍ଦନ ମହାପାତ୍ର ସୁନା ଖଡ଼ିକାରେ ଛେରା ପହଁରା କରି ନିଉଛାଳି ହୋଇଥିଲେ । ପରେ ରାଜା ରଥରୁ ରଥ ପଛ ପଟେ ମୁଣ୍ଡ ଲଗାଇ ରଥକୁ ଢେରିବା ପାଇଁ ଆଜ୍ଞା ଦେଇଥିଲେ । ପରେ ହଜାର ହଜାର ଶ୍ରଦ୍ଧାଳୁ ମହିମାମଣିଙ୍କ ରଥକୁ ଭାବାବେଗର ସହିତ ଟାଣି ସନ୍ଧ୍ୟା ୬ଟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚାଇଥିଲେ । ମନ୍ଦିରର ବିଶେଷତ୍ୱ ଅନ୍ୟ ମନ୍ଦିରଠାରୁ ବାରି ହୋଇପଡ଼େ । ଏହି ପୀଠରେ ରଥର ଗଢ଼ଣ ମନ୍ଦିର ଗଢ଼ଣ ସମାନ ନିର୍ମାଣ କରାଯାଉଥିବା ବେଳେ ରଥକୁ ଦଉଡ଼ି ସାହାଯ୍ୟରେ ନ ଟାଣି ଦୁଇଗୋଟି ବାଉଁଶ ସାହାଯ୍ୟରେ ଟାଣିବାର ପରମ୍ପରା ପୂର୍ବ କାଳରୁ ପ୍ରଚଳିତ ହୋଇଆସୁଛି । ମନ୍ଦିରର ବଡ଼ପଣ୍ଡା ନବକିଶୋର ମହାପାତ୍ର, ରାଜକିଶୋର ମହାପାତ୍ର, ବନବିହାରୀ ପଣ୍ଡା, ରାମଚନ୍ଦ୍ର ମହାପାତ୍ର, ସଞ୍ଜୟ ମହାପାତ୍ର, ପ୍ରମୋଦ ମହାପାତ୍ର, ପ୍ରଶାନ୍ତ କୁମାର ମହାପାତ୍ର, ଆଶିଷ କୁମାର ମହାପାତ୍ର, ଜୟନାରାୟଣ ମହାପାତ୍ରଙ୍କ ସହ ମାଳି ସେବାୟତ ଧୃବ ରଣା, ବାବୁଲା ରଣା, କୁରୁପା ରଣା, କବି ରଣା ପ୍ରଭୃତି ସମସ୍ତ ନୀତିକାନ୍ତ ତୁଲାଇଥିଲେ । ମନ୍ଦିର ପରିଚାଳନା କମିଟି ମ୍ୟାନେଜିଂ ଟ୍ରଷ୍ଟି ଭୃଗୁରାମ ରାଉତ ଏବଂ ରଥଯାତ୍ରା କମିଟି ତତ୍ତ୍ୱାବଧାନରେ ଚଳିତ ବର୍ଷର ରଥଯାତ୍ରା ସମାପନ ହୋଇଛି ।

Leave a Reply

Your email address will not be published. Required fields are marked *