ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମୁଖରେ ପୋଲିସ ଓ ଜନସାଧାରଣଙ୍କ ଉପରେ ଗାଡ଼ି ଚଢ଼ାଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୀର୍ଘ ମାସ ହେବ ବାଣପୁର ସବ ଜେଲରେ ଅଛନ୍ତି । ଉଚ୍ଚ ନ୍ୟାୟାଳୟ ତାଙ୍କ ଜାମିନ ଆବେଦନକୁ ଆଗ୍ରାହ୍ୟ କରି ଦେଇଥିବା ବେଳେ ବିଧାୟକଙ୍କ ଓକିଲଙ୍କ ପକ୍ଷରୁ ଉଚ୍ଚତମ ନ୍ୟାୟାଳୟରେ ଜାମିନ ପାଇଁ ଆବେଦନ କରାଯାଇଛି । ଆସନ୍ତା ୨୫ ତାରିଖ ଦିନ ଉଚ୍ଚତମ ନ୍ୟାୟାଳୟରେ ବିଧାୟକଙ୍କ ଜାମିନ ଆବେଦନ ଶୁଣାଣି ହେବ। କିନ୍ତୁ ତା’ପୂର୍ବରୁ ଅର୍ଥାତ ୧୮ ତାରିଖ ଦିନ ପୋଲିସ ଉକ୍ତ ମାମଲାର ଚାର୍ଜସିଟ ଦାଖଲ କରିଛି । ତଦନ୍ତକାରୀ ଅଧିକାରୀ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ବାଣପୁର ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛନ୍ତି । ତେବେ ସରକାରୀ ଓକିଲ ପ୍ରାଚୀପ୍ରଭା ନନ୍ଦଙ୍କ ସୂଚନା ମୁତାବକ ଉକ୍ତ ଚାର୍ଜସିଟରେ ପୋଲିସ ଆଉ ତିନି ଗୋଟି ଦଫା ଯୋଡ଼ିଛି । ବିଧାୟକଙ୍କ ବିରୋଧରେ ଆଇପିସି ର ଦଫା ୪୬୫, ୪୭୧ ଏବଂ ଏମଭି ଆକ୍ଟ ଦଫା ୧୮୧ ଲାଗିଛି । ଉକ୍ତ ଦଫା ଅନୁଯାୟୀ, ବିଧାୟକଙ୍କ ବିରୋଧରେ ନକଲି ଗାଡ଼ି ନମ୍ବର ପ୍ଲେଟ ନିମନ୍ତେ ଜାଲିଆତି ଦଫା ଯୋଡି ହେବା ସହ ଗାଡ଼ି ଚଲାଉଥିବା ବେଳେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ମୋଟର ଯାନ ଦଫା ମଧ୍ୟ ଲାଗିଛି । ଉକ୍ତ ତିନି ଦଫା ଯୋଡି ହେବା ପରେ ବିଧାୟକଙ୍କ ପାଇଁ ଅଡୁଆ ବଢିପାରେ ବୋଲି କୁହାଯାଉଛି । ହେଲେ ଆସନ୍ତା ୨୫ ତାରିଖ ଦିନ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣିରେ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।