ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରୀ ନିବାସରୁ ଜଣେ ଛାତ୍ରୀ ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି । ଏ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପକ୍ଷରୁ ବାଣପୁର ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ଅଭିଯୋଗ ମୁତାବକ ଯୁକ୍ତ ତିନି ପ୍ରାଣୀବିଜ୍ଞାନ ବିଭାଗର ଜନୈକା ଛାତ୍ରୀ ଗତକାଲି ସକାଳ ୮ ଘଟିକା ସମୟରେ ଟ୍ୟୁସନ ଯିବା ନାମରେ ଛାତ୍ରୀ ନିବାସରୁ ବାହାରକୁ ଯାଇଥିଲେ । ତେବେ ୧୦ ଘଟିକା ସମୟରେ ଛାତ୍ରୀଙ୍କ ପରିବାର ବର୍ଗ ତାଙ୍କୁ ଦେଖା କରିବା ପାଇଁ ଛାତ୍ରୀନିବାସକୁ ଯାଇଥିବା ବେଳେ ସେ ଟ୍ୟୁସନ ଯାଇଥିବାର ଛାତ୍ରୀ ନିବାସ କର୍ତ୍ତୃପକ୍ଷ କହିଥିଲେ । କିନ୍ତୁ ପରିବାରବର୍ଗ ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ, ଛାତ୍ରୀ ଜଣକ ଟ୍ୟୁସନ ଯାଇନାହାନ୍ତି ଏବଂ ତାଙ୍କ ମୋବାଇଲ ବି ବନ୍ଦ ଥିଲା । ତେବେ ସେ ତାଙ୍କ ସମ୍ପର୍କୀୟ ମାମୁଁଙ୍କ ପୁଅ ସହ ଫେରାର ହୋଇ ଯାଇଥାଇପାରେ ବୋଲି ପରିବାର ବର୍ଗ ସନ୍ଦେହ କରିଛନ୍ତି । ତେବେ ଅପରାହ୍ନ ୧ ଘଟିକା ଯାଏଁ ଛାତ୍ରୀନିବାସକୁ ଛାତ୍ରୀ ଜଣକ ଫେରି ନଥିବାରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରୀ ନିବାସରୁ ଛାତ୍ରୀ ନିଖୋଜ ଅଭିଯୋଗ !!!

