ଚିଲିକା ଗସ୍ତରେ କେନ୍ଦ୍ର ମନ୍ତ୍ରୀ : ଆରମ୍ଭ କଲେ ହର ଘର ତ୍ରିରଙ୍ଗା ଅଭିଯାନ !!!

0
214

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜି ପୂର୍ବାହ୍ନରେ କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସ୍ୱାଧି ନିରଞ୍ଜନ ଜ୍ୟୋତି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଛନ୍ତି । ଏହି ଗସ୍ତ ସମୟରେ ସେ ବାଲୁଗାଁ ଗାନ୍ଧୀ ଛକ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ହର ଘର ତ୍ରିରଙ୍ଗାର ପ୍ରଚାର ପ୍ରସାର ପାଇଁ ବଜାର ପରିକ୍ରମା କରିବା ସହ ୭ ନଂ ୱାର୍ଡ ପାଟଣା ସାହି ପର୍ଯ୍ୟନ୍ତ ପଦ ଯାତ୍ରା କରିଛନ୍ତି । ଏଥି ସହିତ ୭ନଂ ୱାର୍ଡ କାଉନସିଲର ରୁନୁ ବେହେରାଙ୍କ ଘର ଠାରୁ ହର ଘର ତ୍ରିରଙ୍ଗାର ଅଭିଯାନ ଆରମ୍ଭ କରିଛନ୍ତି । ଦୀର୍ଘ ଦୁଇ ବର୍ଷ ଧରି ମହାମାରୀ କରୋନା ପ୍ରଭାବରେ ବହୁ ଜନ ଜୀବନ ମୃତ୍ୟୁ ତାଣ୍ଡବରେ ଲୀନ ହେଇଥିବା ସହ ଘୋର ଆର୍ଥିକ ଅନଟନ ମଧ୍ୟ ଦେଖା ଦେଇଥିଲା । ଯାହାକି ଏଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ଏକ ମାତ୍ର ବିଶଲ୍ୟକରଣୀ ଥିଲା କୋଭିଡ ଟୀକା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ଜନସାଧାରଣଙ୍କୁ ଟୀକାକରଣ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ଦାୟିତ୍ୱ ଦିଆ ଯାଇଥିଲା । ଏନେଇ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସ୍ୱାଧି ବିଭିନ୍ନ ଟୀକାକରଣ କେନ୍ଦ୍ରମାନ ପରିଦର୍ଶନ କରିଛନ୍ତି । ଏହାକୁ ଅଧିକ ତ୍ୱରିତ କରିବାପାଇଁ ସିଏଚସି ଅଧିକାରୀ ଡା. ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ବାଲୁଗାଁ କାର୍ଯ୍ୟକ୍ରମ ସାରି କେନ୍ଦ୍ରମନ୍ତ୍ରୀ ବାଣପୁର ଗସ୍ତ କରିଛନ୍ତି । ବିଷରପାଟଣା ଛକରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ପରେ କେନ୍ଦ୍ରମନ୍ତ୍ରୀ ସିଧାସଳଖ ଗମ୍ଭାରୀମୁଣ୍ଡା ଯାଇ ସେଠାରେ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହାପରେ ଦେଓଗାଁରେ ‘ବୁଥ କମିଟି’ ଓ ‘ପନ୍ନା ପ୍ରବାସ’ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ବିମାନବନ୍ଦର ଫେରି ଯାଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଚିଲିକା ନିର୍ବାଚନ ମଣ୍ଡଳି ଗସ୍ତ ସମୟରେ କେନ୍ଦ୍ର ପର୍ଯ୍ୟଟନ ଅଧ୍ୟକ୍ଷ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ଼ା. ସମ୍ବିତ ପାତ୍ର, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଏବଂ ବହୁ ଜିଲ୍ଲା ସ୍ତରୀୟ ଓ ଆଞ୍ଚଳିକ ବିଜେପି ନେତା ମାନେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here