ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ନୟାଗଡ ଡିଭିଜନ ପୂର୍ତ୍ତ ବିଭାଗ ଅଧିନରେ ୧୧ କିଲୋମିଟର ରାସ୍ତା କୋଦୁଅବେରଣୀ ଠାରୁ ଭାପୁର ପର୍ଯ୍ୟନ୍ତ ବାଇପାସ୍ ରାସ୍ତା ନିର୍ମାଣ କରାଯାଇଛି । ଏହି ରାସ୍ତା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଧଳାପଥର ଗ୍ରାମ ପଞ୍ଚାୟତ ଠଣାପଲ୍ଲୀ ଗ୍ରାମର ଆଶିଷ କୁମାର ପଣ୍ଡାଙ୍କ କୋଦୁଅବେରଣୀ ମୌଜାର ପ୍ଲଟ ନମ୍ବର -୪୮୫, ଖାତା ନମ୍ୱର -୪୫୭/୧୩୨ ଘରବାରି କିସମ ଜମି ଉପରେ ନିର୍ମାଣ କରାଯାଇଛି । ଏହି ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କାର୍ଯ୍ୟକୁ ଠଣାପଲ୍ଲୀ ଜମି ମାଲିକ ଆଶିଷ କୁମାର ପଣ୍ଡା ଗତ ପାଞ୍ଚ ବର୍ଷ ଧରି ରାଜ୍ୟ ପୂର୍ତ୍ତ ବିଭାଗର ମୁଖ୍ୟ ସର୍ବୋଚ୍ଚ ଯନ୍ତ୍ରୀ, ରାସ୍ତା ଓ କୋଠା ବାଡି ସୁପରଟେଣ୍ଡେଣ୍ଟ ଇଞ୍ଜିନିୟର ,ଖୋର୍ଦ୍ଧା ଜିଲ୍ଲା ରାସ୍ତା ଓ କୋଠା ବାଡି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଅଛନ୍ତି । କୋଦୁଅବେରଣୀ ମୌଜାର ସରକାରୀ ପୂର୍ତ୍ତ ବିଭାଗ ପ୍ଲଟ ନମ୍ବର-୫୦୪, ୫୦୪ / ୧୬୫୧, ୫୦୪ / ୧୬୫୦ ନୟନଯୋଡ଼ି ସରକାରୀ ଜମି ଉପରେ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କରାନଯାଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଠିକାଦାର ବେନିୟମ ଭାବେ ଜୋର ଜବରଦସ୍ତି ଠଣାପଲ୍ଲୀ ଗ୍ରାମର ପ୍ରଜା ଆଶିଷ କୁମାର ପଣ୍ଡାଙ୍କ ନିଜସ୍ଵ ଘର ବାରି ୪୮୫ ପ୍ଲଟ ନମ୍ବର ଜମି ଉପରେ ରାସ୍ତା ନିର୍ମାଣ କରାଯାଉଥିବାରୁ ସେ ଏହାକୁ ଦୃଢ଼ ବିରୋଧ କରିଅଛନ୍ତି । ସରକାରୀ ଜମି ୫୦୪ ପ୍ଲଟ ନମ୍ବର ଉପରେ କେତେକ ଅସାମାଜିକ ଯୁବକ ବଳପୂର୍ବକ ମାଡ଼ି ବସି ଦୋକାନ କରିଅଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳ , ବୋଲଗଡ଼ ତହସିଲଦାର, ଧଳାପଥର ରାଜସ୍ବ ନୀରିକ୍ଷକ ଓ ଖୋର୍ଦ୍ଧା ଜିଲ୍ଲା ରାସ୍ତା ଓ କୋଠା ବାଡି ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସେମାନଙ୍କୁ ସରକାରୀ ରାସ୍ତା ଉପରୁ ନ ଉଠାଇବାରୁ ଜମି ମାଲିକ ଆଶିଷ କୁମାର ପଣ୍ଡା ଏମାନଙ୍କ ବିରୋଧରେ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଏକ ମକଦ୍ଦମା କରିଅଛନ୍ତି । ଯଦି ଏହାର ସୁବିଚାର କରାନଯିବ ତେବେ ଆଗାମୀ ଦିନରେ ଘରୋଇ ଜମିର ମାଲିକ ଆଶିଷ କୁମାର ପଣ୍ଡା ବାଧ୍ୟ ହୋଇ ପରିବାର ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଆମରଣ ଅନଶନ ସହିତ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ଯଦି ଭବିଷ୍ୟତରେ ଜମି ମାଲିକ ଶ୍ରୀ ପଣ୍ଡାଙ୍କର ଓ ତାଙ୍କ ପରିବାର ବର୍ଗଙ୍କର କିଛି କ୍ଷତି ଘଟେ ତେବେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ , ପୂର୍ତ୍ତ ବିଭାଗ ଓ ଖୋର୍ଦ୍ଧା ଜିଲ୍ଲା ରାସ୍ତା ତଥା କୋଠା ବାଡି ବିଭାଗ ସମ୍ପୁର୍ଣ୍ଣ ଦାୟୀ ରହିବେ ବୋଲି ଧମକ ଦେଇଅଛନ୍ତି ।