ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କରୋନା ମହାମାରୀ ବିଶ୍ୱକୁ ଅନେକ ଦୁଃଖ ଦେଇଥିବା ବେଳେ ଅନ୍ୟ ପକ୍ଷରେ ପୁରୁଣା ସ୍ମୃତିକୁ ମଧ୍ୟ ମନେ ପକାଇଦେଇଛି । ଏହି ସମୟରେ ମନୁଷ୍ୟ ଜୀବନର ମୂଲ୍ୟ ବୁଝିଛି । ସାଙ୍ଗ ସମ୍ପର୍କୀୟଙ୍କ ଗୁରୁତ୍ୱ ବୁଝି ପାରିଛି । ପାରିବାରିକ ସମ୍ପର୍କ ଆହୁରି ନିବିଡ଼ ହୋଇଛି । ତେବେ ଏହା ଭିତରେ ଏବେ ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ଅନେକଙ୍କର ପିଲା ବେଳର ସ୍ମୃତିକୁ ଉଜ୍ଜୀବିତ କରିଦେଇଛି । ତାହା ହେଲା ଚାଟଶାଳୀ ପାଠ । ଯେଉଁ ଚାଟଶାଳୀ ପାଠ କାହିଁ କେଉଁ କାଳରୁ ବନ୍ଦ ହୋଇଯାଇଛି, ଏବେ ପୁଣି ତାହା ଆରମ୍ଭ ହୋଇଛି । କରୋନା ଲାଗି ଦୀର୍ଘ ଦୁଇ ବର୍ଷ ହେଲା ବିଦ୍ୟାଳୟ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ବିଶେଷ କରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ବେଶୀ ପ୍ରଭାବିତ ହୋଇଛନ୍ତି ।

ପୂର୍ବରୁ ପିଲାମାନଙ୍କୁ ଅନଲାଇନ ଶିକ୍ଷା ଜାରି ରହିଥିବା ସତ୍ତ୍ୱେ ଏହା ଶତ ପ୍ରତିଶତ ସଫଳ ହୋଇପାରିନାହିଁ । କାରଣ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ନାଇଁ କି ସମସ୍ତେ ଡାଟା ପ୍ୟାକ ପକାଇବାକୁ ସମର୍ଥ ନୁହନ୍ତି । ସେହିପରି ଏକାଧିକ ଗ୍ରାମୀଣ ଅଞ୍ଚଳରେ ନେଟୱାର୍କ ସମସ୍ୟା ଦେଖାଯାଉଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ସବୁ ବ୍ଲକରେ ଆରମ୍ଭ ହୋଇଯାଇଛି ଚାଟଶାଳୀ ପାଠ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକର ପ୍ରତ୍ୟକ ଗ୍ରାମକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯାଇ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷାଦାନ କରିବେ ।
ତେବେ ଏହି ଯୋଜନାର କାର୍ଯ୍ୟକାରିତା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଞ୍ଚଳରେ । ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ଗ୍ରାମକୁ ଯାଇ ଚାଟଶାଳୀ ପାଠ ପଢ଼ାଉଛନ୍ତି । କିଏ ଗ୍ରାମର କୋଠାଘରେ ହେଉ ଅବା ମହିଳା ସମିତି ଗୃହ ବାରଣ୍ଡାରେ କିମ୍ବା ଗ୍ରାମର ଖୋଲା ସ୍ଥାନରେ ହେଉ ଆରମ୍ଭ କରି ଦେଇଛନ୍ତି ପାଠ ପଢା । ପିଲାମାନେ ମଧ୍ୟ ଖୁସିରେ ପାଠ ପଢୁଥିବାର ଦେଖାଯାଇଛି । ଅଭିଭାବକ ମାନେ ସରକାରଙ୍କ ଉକ୍ତ ପଦକ୍ଷେପ କୁ ପ୍ରଶଂସା କରିଛନ୍ତି । କୌଣସି ଛାତ୍ର ଛାତ୍ରୀ ଯେପରି ପ୍ରାଥମିକ ଶିକ୍ଷାଦାନରୁ ବଞ୍ଚିତ ନହୁଅନ୍ତି ତାହାକୁ ଦେଖିବା ଏବଂ ସେଥି ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ଆମର କର୍ତ୍ତବ୍ୟ ବୋଲି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜାଲି କହିଛନ୍ତି । ତେବେ ବିଦ୍ୟାଳୟ ପୂର୍ଣ୍ଣମାତ୍ରାରେ ନଖୋଲିବା ପର୍ଯ୍ୟନ୍ତ ଏହିପରି ଚାଟଶାଳୀ ଶିକ୍ଷାଦାନ ଜାରି ରହିବ । ଅନୁରୂପ ଭାବେ ଅଦ୍ୟାବଧି ବାଣପୁର ବ୍ଲକର ଛାତ୍ରଛାତ୍ରୀଙ୍କୁ ଅନଲାଇନ ଓ ୟୁଟୁବ ମାଧ୍ୟମରେ ମଧ୍ୟ ପାଠପଢା ଜାରି ରହିଛି । ତେବେ ଯାହା ହେଉନା କାହିଁକି, ପାଶ୍ଚାତ୍ୟ ସଂସ୍କୃତିର ବଶବର୍ତ୍ତୀ ହୋଇ ପଡିଥିବା ଆଜିର ପିଢ଼ି ପୁଣି ଚାଟଶାଳୀ ପାଠ ମାଧ୍ୟମରେ ନିଜସ୍ୱ ସଂସ୍କୃତିକୁ ଆପଣଉଥିବାର ଦେଖାଯାଇଛି ।


